ମୁଖ୍ୟ ଖବରରାଜ୍ୟ

ଧୀରଜ ସାହୁଙ୍କ ବ୍ୟବସାୟ ସହ କଂଗ୍ରେସର ସଂପର୍କ ନାହିଁ : ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରୁ ଆୟକର ଚଢ଼ାଉ ବେଳେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ଏହି ପ୍ରସଙ୍ଗରେ ମୁହଁ ଖୋଲିଛି କଂଗ୍ରେସ । ଧୀରଜ ସାହୁଙ୍କ ବ୍ୟବସାୟ ସହ କୌଣସି କାରବାରକୁ ଅସ୍ୱୀକାର କରିଛି ଦଳ।କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି, ” ଭାରତୀୟ ଜାତୀୟ କଂଗ୍ରେସ ସହ ଧୀରଜ ସାହୁଙ୍କ ବ୍ୟବସାୟର କୌଣସି ସଂପର୍କ ନାହିଁ । କେବଳ ସେ କହିପାରିବେ ଏବଂ ସେ ଏହାକୁ ବୁଝାଇବା ଉଚିତ୍ । ଆୟକର କର୍ତ୍ତୃପକ୍ଷ କିପରି ସେମାନଙ୍କ ପରିସରରୁ ଏତେ ପରିମାଣର ନଗଦ ଟଙ୍କା ଜବତ କରୁଛନ୍ତି ତାହା ମଧ୍ୟ କୁହାଯିବା ଉଚିତ।”

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଝାଡ଼ଖଣ୍ଡ କଂଗ୍ରେସଠାରୁ ଏହି ମାମଲାରେ ରିପୋର୍ଟ ମାଗିଛନ୍ତି। ଏହି ମାମଲା ପରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ବ୍ୟାକଫୁଟରେ ଥିବା ଜଣାପଡିଛି । ଜୟରାମ ରମେଶଙ୍କ ବୟାନ ପରେ କଂଗ୍ରେସ ଏବେ ଏହି ପୂରା ଘଟଣାରୁ ନିଜକୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି।

ଆୟକର ବିଭାଗ ପକ୍ଷରୁ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଲଗାତାର ଚଢ଼ଉ ଜାରି ରହିଛି। ଲଗାତାର ତିନି ଦିନ ଧରି ଚାଲିଥିବା ଏହି ଚଢ଼ାଉରେ ସେମାନଙ୍କ ଘରୁ ୨୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହି ରାଶିର କୌଣସି ହିସାବ ଆଇଟି ବିଭାଗର ଅଧିକାରୀଙ୍କୁ ମିଳିନାହିଁ। ଖବର ଲେଖା ହେବା ବେଳକୁ ବି ଟଙ୍କା ଗଣତି ଚାଲିଥିଲା ଓ ନୂଆ ନୂଆ ସ୍ଥାନରୁ ଟଙ୍କା ଜବତ ହୋଇଚାଲିଛି ।

Leave a Reply

Your email address will not be published. Required fields are marked *