ରାଜ୍ୟ

‘ଏନ୍‌ସିଆରବି’ ରିପୋର୍ଟରେ ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ରିପୋର୍ଟରେ ପ୍ରକାଶିତ ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବୟାନ ଦେଲା ପରେ ବିଜେଡି ଏହାର ଜବାବ ରଖିଛି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଓଡ଼ିଶାରେ ପଞ୍ଚାୟତ, ପୌରନିର୍ବାଚନ ଓ ଉପନିର୍ବାଚନରେ ବିଜେପି ବାରମ୍ବାର ହାରି ହତୋତ୍ସାହିତ ହୋଇଛି। ହାରିଯାଇଥିବା କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଛନ୍ତି। ଏବେ ‘ଏନ୍‌ସିଆରବି’ର ରିପୋର୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି। ଏଣୁ କେନ୍ଦ୍ରମନ୍ତ୍ରୀ ଏବାବଦରେ ବୟାନ ଦେବା ପୂର୍ବରୁ ଏହାକୁ ପରଖି ଉପସ୍ଥାପନା କରିବାର ଥିଲା। ଏନ୍‌ସିଆରବି ରିପୋର୍ଟ ସ୍ପଷ୍ଟ କରୁଛି ଯେ ମହିଳାଙ୍କ ଉପରେ ଅଧିକ ହିଂସା ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଆଉ ପଶ୍ଚିମବଙ୍ଗରେ ରହିଛି। ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ଭୁଲ ନୁହେଁ। ହେଲେ କର୍ମୀଙ୍କୁ ଅର୍ଦ୍ଧସତ୍ୟ ତଥ୍ୟ ଦେଇ ଓଡ଼ିଶାକୁ ଅଧିକ ଅପମାନିତ କରିବା ଠିକ୍‌ ନୁହେଁ।ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ରାଜ୍ୟରେ ଏକ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥା ଯୋଗୁଁ ସମଗ୍ର ଭାରତବର୍ଷରେ ମହିଳା ନିର୍ଯାତନା ଓ ଅପରାଧିକ ମାମଲାରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି। ମହିଳାମାନଙ୍କ ଉପରେ ଅତ୍ୟାଚାର ନେଇ ପ୍ରକାଶିତ ଏନସିଆରବି ରିପୋର୍ଟ ଓଡ଼ିଶାର ମୁଣ୍ଡକୁ ତଳକୁ କରିଦେଇଛି। ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରବିବାର ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଶାରେ ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥା ଚାଲିଛି। ଏ ସରକାରରେ ତାଙ୍କ ଦଳର ଅନେକ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ନାଁରେ କେଳେଙ୍କାରୀର ଅଭିଯୋଗ ଆସିଛି। ତାଙ୍କ ଦଳୀୟ ମହିଳାମାନେ ଦଳୀୟ ନେତୃତ୍ୱ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସଦ୍ୟତମ ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳା ଅପରାଧରେ ଓଡ଼ିଶା ଆଗରେ ରହିଛି। ସ୍ଥାନୀୟ ସରକାର ପଦଚ୍ୟୁତ ହେଲେ ହିଁ ମମିତା ମେହେର, ପରୀକୁ ସଠିକ୍ ନ୍ୟାୟ ମିଳିପାରିବ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ନବଜାତ ଶିଶୁ ଓ ମହିଳାମାନେ ସବୁଠୁ ଖରାପ ସ୍ଥିତିରେ ଅଛନ୍ତି। ଏହା ବିରୋଧରେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ସଂକଳ୍ପ କରିଛି।

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ନାରୀ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମହିଳାଙ୍କୁ ସାମାଜିକ ଓ ରାଜନୈତିକ ସ୍ତରରେ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ବିଗତ ସାଢେ ୯ ବର୍ଷ ଧରି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି। ମହିଳା ସଶକ୍ତୀକରଣ ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଅଣାଯାଇଛି।

ଆଜି ଓଡ଼ିଶାରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ରାଜ୍ୟରେ ୭୭ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ପିଏମ ଆବାସରେ ୩୨ ଲକ୍ଷ ଘର ଦିଆଯାଇଛି । ଉଜ୍ଜ୍ୱଳା ଯୋଜନାରେ ୫୩ ଲକ୍ଷ ମହିଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ଦିଆଯାଇଛି । ୫୬ ଲକ୍ଷ ପରିବାରକୁ ଜଳ ଜୀବନ ମିଶନରେ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଯାଉଛି । ସେହିପରି ମୁଦ୍ରା ଲୋନ, ଏସଏଚଜି ସମୂହଙ୍କୁ ବ୍ୟାଙ୍କ୍ ମାଧ୍ୟମରେ କମ ସୁଧରେ ଋଣ ଉପଲବ୍ଧ କରାଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ୨୦୨୯ ପର୍ଯ୍ୟନ୍ତ ୩.୨୫ କୋଟି ହିତାଧିକାରୀଙ୍କୁ ପ୍ରତି ମାସକୁ ଚାଉଳ ଉପଲବ୍ଧ କରାଯାଉଛି । ବିଶ୍ୱକର୍ମା ଯୋଜନା ସହ ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନାଇବା ପାଇଁ ଯୋଜନା କରିଛନ୍ତି, ଯାହାର ଭାଗ ଓଡ଼ିଶା ପାଇବ।

Leave a Reply

Your email address will not be published. Required fields are marked *