ଦଳକୁ ଜିତାଇଲେ, ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ ଚୌହାନ
ଭୋପାଳ: ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଏହି ପଦ ଲାଗି ଅନେକ ବରିଷ୍ଠ ନେତାମାନଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗତକାଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସଂପର୍କରେ ବିଜେପିର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା। ଚର୍ଚ୍ଚାରେ ନଥିବା ଆଦିବାସୀ ନେତା ବିଷ୍ଣୁଦେବ ସାଏଙ୍କ ନାମ ଘୋଷଣା କରି ବିଜେପି ହାଇକମାଣ୍ଡ ଅନ୍ୟ ଦୁଇ ରାଜ୍ୟ ପାଇଁ ଭିନ୍ନ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚିତ ନୁହେଁ, ନୂଆ ଚେହେରାକୁ ଗୁରୁତ୍ବ ଦିଆଯିବ। ଆଜି ମଧ୍ୟ ପ୍ରଦେଶରେ ଠିକ୍ ସେୟା ଘଟିଲା। ଯେଉଁ ମୁଖ୍ୟମନ୍ତ୍ରୀ (ଶିବରାଜ ସିଂହ ଚୌହାନ)ଙ୍କ ନେତୃତ୍ବରେ ବିଜେପି ରାଜ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା, ତାଙ୍କୁ ହଟାଇ ଆଦୌ ଚର୍ଚ୍ଚାରେ ନଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ହାଇକମାଣ୍ଡ। ରାଜ୍ୟର ନୂ୍ଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମୋହନ ଯାଦବ। ୫୮ ବର୍ଷୀୟ ଯାଦବଙ୍କ ନାମ ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି। ଶ୍ରୀ ଯାଦବ ପୂର୍ବରୁ ଶିବରାଜ ସିଂହ ଚୌହାନଙ୍କ କ୍ୟାବିନେଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ।ଏହାସହିତ ପ୍ରାୟ ଦୁଇ ଦଶନ୍ଧି ଧରି ମଧ୍ୟ ପ୍ରଦେଶରେ ଚାଲିଥିବା ଚୌହାନ ରାଜ୍ର ଅବସାନ ଘଟିଛି। ୨୦୦୫ରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ। ଏହାପରେ ୨୦୦୮, ୨୦୧୩ ଏବଂ ୨୦୨୦ରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୮, ୨୦୧୩ ଏବଂ ୨୦୧୮ରେ ତାଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢ଼ିଥିଲା। ୨୦୦୮ ଓ ୨୦୧୩ରେ ବିଜୟୀ ହୋଇ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୮ ନିର୍ବାଚନରେ ବିଜେପିକୁ ହରାଇ କଂଗ୍ରେସ କ୍ଷମତାକୁ ଆସିଥିଲା। କିନ୍ତୁ କଂଗ୍ରେସରେ ବିଦ୍ରୋହ ଓ କଂଗ୍ରେସ ସରକାରର ପତନ ପରେ ୨୦୨୦ରେ ଶିବରାଜ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୩ରେ ତାଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢ଼ି ଉଲ୍ଳେଖନୀୟ ସଫଳତା ହାସଲ କରିଥିଲା। ଏହି ସଫଳତା ପାଇଁ ତାଙ୍କର ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ବିଶେଷ କରି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ‘ଲାଡଲି ବେହନା’ କୁ ଶ୍ରେୟ ଦିଆଯାଉଥିଲା।