ମନୋରଞ୍ଜନ

ଧିମେଇ ଗଲା ‘ଅନିମଲ୍‌’; ‘ପଠାନ୍‌’ ଓ ‘ଯବାନ’କୁ ଟକ୍କର ଦେବାର ଆଶା ଭାଙ୍ଗି ଯାଇପାରେ

ମୁମ୍ବାଇ: ୨୦୨୩ ମସିହାର ତୃତୀୟ ସର୍ବାଧିକ ଆୟ କରିଥିବା ସିନେମା ପାଲଟିଯାଇଛି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍‌’। ସଲ୍‌ମାନଙ୍କ ‘ଟାଇଗର୍‌-୩’ ଓ ସନ୍ନି ଦେଓଲଙ୍କ ‘ଗଦର-୨’ ଫିଲ୍ମକୁ ପଛରେ ପକାଇ ‘ଆନିମଲ୍‌’ ଏବେ କିଙ୍ଗ୍‌ଖାନ୍‌ ଶାହରୁଖ୍‌ଙ୍କ ‘ପଠାନ୍‌’ ଓ ‘ଯବାନ’ର କଲେକ୍ସନ ଆଡ଼େ ଅଗ୍ରସର ହେଉଛି ବୋଲି ଚର୍ଚ୍ଚା ହେଉଥିଲା।ଗତକିଛି ଦିନ ହେବ ଖୁବ୍ ଭଲ ଆୟ କରି ଆସୁଥିବା ‘ଆନିମଲ୍‌’ର ରୋଜଗାର ସୋମବାର ମାନ୍ଦା ପଡ଼ିଛି। ଏହି କାରଣରୁ ରଣବୀରଙ୍କ ପ୍ରଶଂସକ କିଛି ମାତ୍ରାରେ ନିରାଶ ବି ହୋଇଛନ୍ତି। ସପ୍ତାହ ଆରମ୍ଭରୁ ଫିଲ୍ମଟି ଯେପରି ଭାବେ ତଳକୁ ଖସିଛି ସେଥିରୁ ଦେଖି ଲାଗୁନାହିଁ ଯେ ତାହା ଆଗାମୀ ଦିନରେ ‘ପଠାନ୍‌’ ଓ ‘ଯବାନ’ର କଲେକ୍ସନକୁ ଛୁଇଁପାରିବ।

ଗୋଟାଏ ଦୃଷ୍ଟିରୁ ଦେଖିବାକୁ ଗଲେ, ଗତ ସପ୍ତାହରେ ବି ଶେଷ ଆଡ଼କୁ ରୋଜଗାର ଭଲ ହୋଇଥିଲା। ଯଦି ସେହିପରି ଘଟେ ତ କିଛି ମାତ୍ରା‌ରେ ଆଶା କରାଯାଇପାରେ।

ବକ୍ସ ଅଫିସର ତଥ୍ୟ ଅନୁଯାୟୀ, ୧୧ ତାରିଖ (ସୋମବାର)ରେ ସିନେମାଟି ମାତ୍ର ୧୩ କୋଟି ଟଙ୍କା ରୋଜଗାର କରିଛି। ଏହି ଅଙ୍କକୁ ମିଶାଇ‌ବା ପରେ ଭାରତରେ ସିନେମାର ସମୁଦାୟ ‌ଆୟ ୪୪୩.୨୭ ହୋଇଛି। ତେବେ ଫିଲ୍ମର ବଜେଟ୍‌ ମାତ୍ର ୧୦୦ କୋଟି ଟଙ୍କା ହୋଇଥିବାରୁ ଏହା ନିଶ୍ଚିତ ଭାବେ ଏକ ସଫଳ ସିନେମା ବୋଲି କୁହାଯାଇପାରେ।

ସୂଚନାଯୋଗ୍ୟ ଯେ ଦ୍ୱିତୀୟ ସପ୍ତାହ ଶେଷରେ ଏହି ଫିଲ୍ମ ୮୭.୫୬ କୋଟି ଟଙ୍କା ଆୟ କରିଥିଲା। ରଣବୀର କପୁର, ବବି ଦେଓଲ, ଅନୀଲ କପୁର, ତୃପ୍ତି ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ଆନିମଲ’ ପ୍ରଥମ ଦିନରେ ୬୩.୮ କୋଟି, ଦ୍ୱିତୀୟ ଦିନରେ ୬୬.୨୭ କୋଟି, ତୃତୀୟ ଦିନରେ ୭୧.୪୬ କୋଟି, ଚତୁର୍ଥ ଦିନରେ ୪୩.୯୬ କୋଟି, ପଞ୍ଚମ ଦିନରେ ୩୭.୪୭ କୋଟି, ଷଷ୍ଠ ଦିନରେ ୩୦.୩୯ କୋଟି ଏବଂ ସପ୍ତମ ଦିନରେ ୨୪.୨୩ କୋଟି ଟଙ୍କା ଆୟ କରିଛି।

Leave a Reply

Your email address will not be published. Required fields are marked *