ଜାଲ ନୋଟ୍ କାରବାର ଆତଙ୍କବାଦ କାର୍ଯ୍ୟକଳାପ ଭାବେ ଗଣାଯିବ, ନୂଆ ଅପରାଧିକ ଆଇନରେ କଠୋର ବ୍ୟବସ୍ଥା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆ ଅପରାଧିକ ଆଇନରେ ‘ଆତଙ୍କବାଦୀ କାର୍ଯ୍ୟ’ର ଆଇନଗତ ସଂଜ୍ଞାକୁ ସଂଶୋଧନ କରିଛନ୍ତି। ନୂଆ ଅପରାଧିକ ଆଇନରେ ନକଲି ନୋଟ୍ ଚଳାଇବା ଓ ସରକାରଙ୍କୁ ଧମକ ଦେବା ପାଇଁ ଅପହରଣ କରିବା, କାହାକୁ ଆହତ କରିବା ଏବଂ ତାଙ୍କ ମୃତ୍ୟୁ ଘଟାଇବା ମଧ୍ୟ ଆତଙ୍କବାଦ ଶ୍ରେଣୀରେ ରହିବ। ଏହା ସହିତ ନିଷ୍ଠୁରତା ବା କ୍ରୁରତାର ପୁନଃବ୍ୟାଖ୍ୟା କରାଯାଇଛି, ଯେଉଁଥିରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବାକୁ ଅନ୍ତର୍ଭୁକ୍ତ କରାଯାଇଛି।
ସରକାର ଭାରତୀୟ ନ୍ୟାୟ ସଂହିତା ବା ବିଏନ୍ଏସରେ ଦୁଇଟି ନୂଆ ଧାରା ଯୋଡ଼ିଛନ୍ତି । ଏହାର ଧାରା-୮୬ ରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିବା ପାଇଁ “ନିଷ୍ଠୁରତା”କୁ ବ୍ୟାଖ୍ୟା କରାଯାଇଛି । ବିଲର ପୂର୍ବ ସଂସ୍କରଣରେ ଧାରା ୮୫ରେ ପତ୍ନୀଙ୍କ ପ୍ରତି ଅତ୍ୟାଚାର ପାଇଁ ଦୋଷୀ ସାବ୍ୟସ୍ତ ସ୍ୱାମୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ଥିଲା।
ତେବେ ଏଥିରେ ନିଷ୍ଠୁର ଆଚରଣକୁ ବ୍ୟାଖ୍ୟା କରାଯାଇନଥିଲା। ଏହାକୁ ବର୍ତ୍ତମାନ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ସଂଜ୍ଞାରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ସହିତ ତାଙ୍କ ଶାରୀରିକ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଏହି ବିଲ୍ ରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କୁ ତାଙ୍କ ବିନା ସମ୍ମତିରେ ଅଦାଲତ ପ୍ରକ୍ରିୟା ମାଧ୍ୟମରେ ନିଜର ପରିଚୟ ପ୍ରକାଶ କରିବା ପାଇଁ ୨ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।