ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଜାନୁଆରି ୮ ପର୍ଯ୍ୟନ୍ତ ବଢ଼ାଇଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ମିଳିଥିବା ଅନ୍ତରୀଣ ଜାମିନର ଅବଧିକୁ ସୁପ୍ରିମକୋର୍ଟ ଆସନ୍ତା ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ଏପ୍ରିଲ ୬ ତାରିଖରେ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଜୈନ ଦାଖଲ କରିଥିବା ଏକ ପିଟିସନ ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରି ଏହି ଆଶ୍ୱସ୍ତି ଦେଇଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ଏସ୍ ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଡିସେମ୍ବର ୯ ତାରିଖରେ ଜୈନଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଦର୍ଶାଇ ତାଙ୍କୁ ଏହି ରିଲିଫ୍ ପ୍ରଦାନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ‘ମାମଲାର ଯୋଗ୍ୟତା ଉପରେ କୌଣସି ମତାମତ ପ୍ରକାଶ ନକରି ଆମେ ଅନ୍ତରୀଣ ଆଦେଶ ଦେବାକୁ ଚାହୁଁଛୁ।’
ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ତଦନ୍ତରେ ସହଯୋଗ କରୁ ନଥିବା ଦର୍ଶାଇ ଜୈନଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ।
ଜାମିନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଜୈନ ବର୍ତ୍ତମାନ ସ୍ୱାସ୍ଥ୍ୟଗତ କାରଣରୁ ଅନ୍ତରୀଣ ଜାମିନରେ ଅଛନ୍ତି। ମେ ୨୬ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀଙ୍କୁ ଡାକ୍ତରୀ ଆଧାରରେ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଏବଂ ଏହାକୁ ସମୟ ସମୟରେ ବୃଦ୍ଧି କରାଯାଉଛି।