ଗଂଜାମ ଓ ଝାରସୁଗୁଡ଼ାରେ ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟର ପ୍ରଶାସନିକ ଇତିହାସରେ ଆଜି ଏକ ଯୁଗାନ୍ତକାରୀ ଦିବସ। ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ ହୋଇଛି। ୫ଟି ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ଓ ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ସବୁବେଳେ ନିଷ୍ଠାପର ଉଦ୍ୟମ କରିଆସିଛି । ଆପଣମାନଙ୍କ ଖୁସି ହିଁ ମୋର ସବୁଠାରୁ ବଡ ସଫଳତା। ଜମିପଟ୍ଟା ପାଇବା ଦ୍ବାରା ଆପଣମାନେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା। ଖୁବଶୀଘ୍ର ଆଉ ୧୮ ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲଖନପୁର ଓ ସୋରଡା ତହସିଲର ଲୋକମାନଙ୍କ ବହୁ ଦିନର ଜମିବାଡି ସମସ୍ୟା ଦୂର ହୋଇଥିବାରୁ ସେ ନିଜେ ବହୁତ ଖୁସି ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଆପଣମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ସମସ୍ୟାର ସମାଧାନ ପ୍ରକ୍ରିୟା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୋ ନିର୍ଦ୍ଦେଶରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଆପଣଙ୍କ ଅଞ୍ଚଳକୁ ଯାଇ ଆପଣମାନଙ୍କୁ ଭେଟି ଥିଲେ ଓ ଆପଣମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ମୋତେ ଆପଣମାନଙ୍କର ଏହି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ସାଧାରଣ ଲୋକଙ୍କ ହିତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଆପଣମାନଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଖୁବଶୀଘ୍ର ଏହାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲୁ।
ଏହି ଅବସରରେ ୫ଟି ଓ ନବୀନ ଓଡିଶା ଅଧକ୍ଷ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ସାଧାରଣ ଲୋକଙ୍କ ସ୍ଵାର୍ଥ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ବହୁ ବର୍ଷର ସମସ୍ୟା ସମାଧାନ ହୋଇପାରିଛି। ଲଖନପୁରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମମନ୍ତ୍ରୀ ସାରଦା ନାୟକ ଏହି ଜମି ସମସ୍ୟା ସମାଧାନକୁ ଏକ ଐତିହାସକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସ୍କା ସଂସାଦ ପ୍ରମିଳା ବିଶୋଇ, ଝାରସୁଗୁଡ଼ା ବିଧାୟକ ଅଳକା ମହାନ୍ତି ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ।