ରାଜ୍ୟ

ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଝଟକା, ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଥରେ ଝଟକା ଲାଗିଛି । ତାଙ୍କ ରିଭ୍ୟୁ ପିଟିସନକୁ ଗୁରୁବାର (ଡିସେମ୍ବର ୧୪) ଖାରଜ କରିଦେଇଛନ୍ତି ସୁପ୍ରିମ୍ କୋର୍ଟ।ଅକ୍ଟୋବର ୩୦ରେ ସୁପ୍ରିମକୋର୍ଟ ମଦ ନୀତି ମାମଲାରେ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।  ଏହି ରାୟର ପୁନର୍ବିଚାର କରିବାକୁ ଅନୁରୋଧ କରି ସିସୋଦିଆ ଗତ ନଭେମ୍ବର ୨୯ରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ।

ଅକ୍ଟୋବର ୩୦ରେ ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରି ଦେଇ କହିଥିଲେ ଯେ ତଦନ୍ତକାରୀ ସଂସ୍ଥା ୩୩୮ କୋଟି ଟଙ୍କାର କାରବାର ପ୍ରମାଣ କରିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ତାଙ୍କୁ ଜାମିନ ମିଳିପାରୁନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଥିଲେ ଯେ ଯଦି ୬ ମାସ ମଧ୍ୟରେ ନିମ୍ନ ଅଦାଲତରେ ଶୁଣାଣି ଶେଷ ନହୁଏ, ତେବେ ସିସୋଦିଆ ପୁଣି ଜାମିନ ପାଇଁ ଆବେଦନ କରିପାରିବେ ।

ତିନିଦିନ ତଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ହାଜତ ମିଆଦକୁ ଜାନୁଆରି ୧୦କୁ ବଢାଇଦେଇଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଓକିଲଙ୍କୁ ଅତିରିକ୍ତ ଦସ୍ତାବିଜ୍ ଦାଖଲ କରିବାକୁ ଅନୁମତି ଦେବା ସହ ମାମଲାର ଶୁଣାଣି ୨୦୨୪ ଜାନୁଆରି ୧୦ତାରିଖକୁ ଧାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ନଭେମ୍ବର ୨୧ରେ କୋର୍ଟ ତାଙ୍କର ହାଜତ ମିଆଦକୁ ଡିସେମ୍ବର ୧୧କୁ ବଢାଇଥିଲେ ।

ADVERTISEMENT

Leave a Reply

Your email address will not be published. Required fields are marked *