ବୈଠକ ଚାଲିଥିବାବେଳେ ବୋମା ପକାଇଦେଲେ ୟୁକ୍ରେନର ଏହି ନେତା
କିବ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜରି ରହିଥିବା ସତ୍ତ୍ବେ ସେଠାକାର ଲୋକମାନେ ନିଜ ନିଜ ଭିତରେ ବି ଲଢିବା ଜାରି ରଖିଛନ୍ତି । ଏହି ଯୁଦ୍ଧ ଯୋଗୁଁ ନିଜର ସୁରକ୍ଷା ପାଇଁ ୟୁକ୍ରେନର ସାଧାରଣ ଲୋକମାନଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଇଛି । କିନ୍ତୁ ଶତ୍ରୁ ବିପକ୍ଷରେ ଲଢିବା ବଦଳରେ ସେମାନେ ନିଜ ନିଜ ଭିତରେ ଲଢୁଛନ୍ତି ।
ନିକଟରେ ୟୁକ୍ରେନର ଏକ ଗ୍ରାମର ଜଣେ କାଉନସିଲର ( ସ୍ଥାନୀୟ ଜନପ୍ରତିନିଧି) ଏକ ବୈଠକରେ ନିଜ ସହକର୍ମୀମାନଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ଗ୍ରେନେଡ ବିସ୍ଫୋରଣ ହେବାରୁ ୨୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ପଶ୍ଚିମ ୟୁକ୍ରେନର କେରେଟସ୍କି ଗ୍ରାମ ପରିଷଦର ମୁଖ୍ୟାଳୟରେ ଶୁକ୍ରବାର ସକାଳେ ଏହି ଘଟଣା ଘଟିଥିବା ୟୁକ୍ରେନ୍ ପୁଲିସ କହିଛି।
ଏହି ଆକ୍ରମଣର ଏକ ଭିଡିଓ ପୁଲିସ ଟେଲିଗ୍ରାମରେ ପୋଷ୍ଟ କରିଛି। ପୋଷ୍ଟ କରାଯାଇଥିବା ଭିଡିଓରେ କଳା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ଗ୍ରେନେଡ୍ ଫିଙ୍ଗୁଥିବାର ଦେଖିବାକୁ ମିଳିଛି। ଅଭିଯୁକ୍ତ ନିଜ ପକେଟରୁ ୩ଟି ଗ୍ରେନେଡ ବାହାର କରି ତାହାର ସେଫ୍ଟି ପିନ୍ ବାହାର କରିଦିଅନ୍ତି । ଯାହା ପରେ ସେଠାରେ ଉପସ୍ଥିତ ଲୋକମାନେ ଭୟରେ ଚିତ୍କାର କରିବା ଆରମ୍ଭ କରିଥିଲେ। ଏହି ଘଟଣାରେ ୨୬ ଜଣ ଆହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।