ରାଜ୍ୟ

ଗାନ୍ଧୀ ନଗର ବୃଦ୍ଧାଙ୍କୁ ଗଳାକାଟି ହତ୍ୟା ଘଟଣାରେ; ଜଣେ ଗିରଫ ।

ବ୍ରହ୍ମପୁର,୧୬/୧୨: ବ୍ରହ୍ମପୁର ଗାନ୍ଧୀନଗର ୨ୟ ଲାଇନରେ ବୃଦ୍ଧଙ୍କ ଗଳା କାଟି ହତ୍ୟା ଘଟଣାରେ ଟାଉନ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ନିମଖଣ୍ଡି ବଡ଼ ସାହିର ହରିହର ଓରଫ୍ ବାପିନି ସାହୁ ।
ଅଭିଯୁକ୍ତଙ୍କ ଠାରୁ ପୁଲିସ ରକ୍ତଭିଜା ଗଞ୍ଜି ସହ ଜିନ ପ୍ୟାଣ୍ଟ, ହତ୍ୟାକାଣ୍ଡରେ ବ୍ୟବହୃତ ଷ୍ଟିଲ ଛୁରୀକୁ ଜବତ କରିଛି ।
ସୂଚନାଯୋଗ୍ୟ ଯେ ,ଗତ ୧୧ତାରିଖ ଭୋର ସମୟରେ ଗାନ୍ଧୀନଗର ୨ୟ ଲାଇନରେ ଜଣେ ବୃଦ୍ଧଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ପରେ ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଁଞ୍ଚି ମୃତକଙ୍କୁ ଚିହ୍ନଟ କରିଥିଲେ । ମୃତକ ଜଣକ ଅମ୍ବିକାନଗର ୨ୟ ଲାଇନ ନିବାସୀ ରଙ୍କ ସେଠୀ ବୋଲି ଜଣାପଡିଥିଲା । ପ୍ରତିଦିନ ଭଳି ରଙ୍କ ଉକ୍ତ ଦିନ ଭୋର ସମୟରେ ଫୁଲ ତୋଳିବାକୁ ଯାଇଥିଲେ ହେଁ ଆଉ ଘରକୁ ଫେରିନଥିଲେ । ପରେ ତାଙ୍କ ରକ୍ତାକ୍ତ ଶରୀର ଉଦ୍ଧାର କରାଯାଇଥିଲା । ତାଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତ ବେଳେ ପୁଲିସ ଅନୁମାନ କରିଥିଲା । ଘଟଣାକୁ ନେଇ ମୃତ ରଙ୍କ ସେଠୀଙ୍କ ପୁଅ ରାମ ସେଠୀ ଦେଇଥିବା ଲିଖିତ ଏତଲା ଆଧାରରେ ଟାଉନ ଥାନା ପୁଲିସ ଏକ ହତ୍ୟାମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଘଟଣାର ୫ଦିନ ପରେ ଅର୍ଥାତ୍ ଶନିବାର ଅଭିଯୁକ୍ତ ହରିହର ଓରଫ୍ ବାପିନି ସାହୁକୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ମୃତ ରଙ୍କ ଓ ଅଭିଯୁକ୍ତ ବାପିନି କଂଗ୍ରେସ ଭବନ ନିକଟରେ ଏକ ଚାହା ଦୋକାନରେ ମିଶି ଚାହା ପିଇଥାନ୍ତି । ତେବେ ଚାହା ପିଇବା ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।ପରେ ରଙ୍କଙ୍କ ଗଳା କାଟି ବିପିନ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *