ଦିଲ୍ଲୀ ମେଟ୍ରୋରେ ଫସି ମହିଳା ମୃତ, କବାଟରେ ଲାଖିଗଲା ଶାଢ଼ି
ନୂଆଦିଲ୍ଲୀ: ଅତ୍ୟନ୍ତ ସୁରକ୍ଷିତ ମନେ କରାଯାଉଥିବା ଦିଲ୍ଲୀ ମେଟ୍ରୋ ଟ୍ରେନରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମେଟ୍ରୋର କବାଟରେ ଶାଢ଼ି ଫସିଯିବାରୁ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ ମହିଳା ଜଣକ ମେଟ୍ରୋ କବାଟରେ ଫସି ଗୁରୁତର ଆହତ ହେବା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମହିଳା ଜଣକ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଏହି ଘଟଣା ସଂପର୍କରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ କହିଛି ଯେ ଏହାର ତଦନ୍ତ କରାଯାଉଛି । ମେଟ୍ରୋ ରେଳ ସୁରକ୍ଷା କମିଶନର ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ୍ ଓ ଘଟଣାର ପ୍ରମାଣରୁ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଡିଏମ୍ଆରସି ପକ୍ଷରୁ କୁହାଯାଇଛି।
ଡିସେମ୍ବର ୧୪ ତାରିଖରେ ମହିଳା ଓ ତାଙ୍କ ପୁଅ ଇନ୍ଦ୍ରଲୋକରୁ ମୋହନ ନଗର ପର୍ଯ୍ୟନ୍ତ ମେଟ୍ରୋରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ମହିଳା ଜଣକ ଶାଢ଼ି ପିନ୍ଧିଥିବା ବେଳେ ହାତରେ ବୋତଲ ଓ ଜ୍ୟାକେଟ୍ ଥିଲା। ଏହାପରେ ମେଟ୍ରୋ କବାଟର ସେନସର କାମ କରୁନଥିବାରୁ ମେଟ୍ରୋ ଟ୍ରେନର କବାଟରେ ଶାଢ଼ି ଫସି ଯାଇଥିଲା ଏବଂ ସେ ଅନେକ ମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲେ । ପରେ ମହିଳା ଜଣକ ମେଟ୍ରୋ ଟ୍ରାକ୍ ଉପରେ ପଡ଼ିଯାଇଥିଲେ। ଏହି ସମୟରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ।