ରାଜ୍ୟ

ସାଇକେଲରେ ବୁଲି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି – ଦିବ୍ୟାଙ୍ଗ ମଣ୍ଟୁ ଦାସ ।

ଯାଜପୁର (କଳିଙ୍ଗନଗର) :- ଶୈଶବରୁ ପିତା ମାତାଙ୍କୁ ହରାଇଛନ୍ତି, ମାତ୍ର ଆଖିର ଲୁହ ଓ ଅନ୍ତରର କୋହକୁ ଚାପି ସ୍ଵପ୍ରଚେଷ୍ଟାରେ ଆଗକୁ ଯାଇ ଆଜି ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆବାଲ୍ୟରୁ ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଥିଲେ ମଧ୍ୟ ଏବେ ସେ ଅନାଥ ଏବଂ ଭିନ୍ନକ୍ଷମଙ୍କ ପାଇଁ ଆଶାବାଡି ସାଜିଛନ୍ତି । ଆଜିଭଳି ବିଜ୍ଞାନ ଯୁଗରେ କୌଣସି ଯନ୍ତ୍ର ଚାଳିତ ଯାନର ସହାୟତା ନ ଲୋଡ଼ି ନିଜର ଏକ ପୁରୁଣା ସାଇକଲ ଯୋଗେ ସମଗ୍ର ଯାଜପୁର ଜିଲ୍ଲାର କୋଣ ଅନୁକୋଣ ବୁଲି ବୁଲି ଅନାଥ ଶିଶୁଙ୍କର ସୁରକ୍ଷା ବାର୍ତ୍ତା ବାଣ୍ଟି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଦିବ୍ୟାଙ୍ଗ ମଣ୍ଟୁ ଦାସ ।
ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ ସାନବାଗ ସାହି ଗାଁ ର ଦିବ୍ୟାଙ୍ଗ ମଣ୍ଟୁଙ୍କର ଜନ୍ମ , ପିତା ରତ୍ନାକର ଏବଂ ମାତା ସରସ୍ୱତୀଙ୍କ କୋଳ ମଣ୍ଡନ କରିଥିବା ମଣ୍ଟୁ ଉଚ୍ଚ ଶିକ୍ଷିତ। ଜୀବନ ପାଇଁ ଚାକିରିଟିଏ ଆବଶ୍ୟକତା ଥିଲେ ମଧ୍ୟ ସେଥିକୁ ଖାତିର ନ କରି ଜଣେ ଶିଶୁ ସୁରକ୍ଷା ଏବଂ ସାମାଜିକ କର୍ମୀ ଭାବରେ ନିଜକୁ ଗଢି ତୋଳି ସମସ୍ତଙ୍କ ନିକଟରେ ଅତି ଆଦରର ମଣ୍ଟୁବାବୁ ବୋଲି ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।
ଖୁବ୍ ନିକଟରେ ମଣ୍ଟୁ ନିଜର ପୁରୁଣା ସାଇକଲ ଧରି ଯାଜପୁର ଜିଲ୍ଳାର ବ୍ରହ୍ମବରଦା ଠାରୁ ଦାନଗଦି ବ୍ଲକ ର ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ବୁଲି ପାଖାପାଖି ୭୫ କିମି. ଅତିକ୍ରମ କରି ସଚେତନତା ବାଣ୍ଟିଛନ୍ତି ।
ଦାନଗଦି ବ୍ଲକର ଶାଳୀଜଙ୍ଗା, ନଡ଼ିଆଭଙ୍ଗା , କିଆଝର , ଦେଉଳକଣ ଏବଂ ଗୋବର୍ଦ୍ଧନପୁର ପଞ୍ଚାୟତର ବିଭିନ୍ନ ଗାଁ ଏବଂ ଜନ ପ୍ରତିନିଧିଙ୍କୁ ସାକ୍ଷାତ କରି ଶିଶୁ ଅଧିକାର ଭିତ୍ତିକ ସର୍ବେକ୍ଷଣକୁ ଫଳବତି କରିବା ପାଇଁ ଉଦ୍ୟମ କରିଛନ୍ତି । ଦିବ୍ୟାଙ୍ଗ ମଣ୍ଟୁଦାସଙ୍କର ଏହି ଅଭିନବ ପ୍ରୟାସ କୁ ସବୁ ମହଲରୁ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳୁଛି ।(ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *