ଚୀନକୁ ଛାଡ଼, ଭାରତ ସହ ସଂପର୍କ ରଖ, ପାକିସ୍ତାନକୁ କହିଲା ଆମେରିକା
ଓ୍ବାସିଂଟନ ଡିସି: ଆମେରିକା ଗସ୍ତରେ ଅଛନ୍ତି ପାକିସ୍ତାନର ସେନାମୁଖ୍ୟ ଜେନେରାଲ ଅସୀମ ମୁନୀର । ଏହି ଗସ୍ତ ଅବସରରେ ପାକିସ୍ତାନକୁ କେତେକ କଡ଼ା କଥା ଶୁଣାଇଛି ଆମେରିକା । ଚୀନ ସହ ଅଧିକ ସଂପର୍କ ନ ରଖିବାକୁ ଓ ଭାରତ ସହ ସମ୍ପର୍କ ରଖିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି ଆମେରିକା ।ରିପୋର୍ଟ ଅନୁସାରେ ଚୀନ ସହ କେବଳ ଆର୍ଥିକ ସଂପର୍କ ରଖିବାକୁ ଆମେରିକା କହିଛି। କୌଣସି ପ୍ରକାରର ପ୍ରତିରକ୍ଷା ଓ ସୁରକ୍ଷା ସଂପର୍କ ନ ରଖିବାକୁ ଆମେରିକା କହିଛି । ଏହାବ୍ୟତୀତ ଭାରତ ସହ ସମ୍ପର୍କ ସୁଧାରିବା ଏବଂ ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବାକୁ ଆମେରିକା ପାକିସ୍ତାନକୁ କହିଛି।
ଆମେରିକୀୟ ଅଧିକାରୀମାନେ ପାକିସ୍ତାନ ସେନା ମୁଖ୍ୟଙ୍କୁ କହିଛନ୍ତି ଯେ ଯଦି ତାଙ୍କ ଦେଶକୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି, ତେବେ ତାଙ୍କୁ ଭାରତ ସହ ବାଣିଜ୍ୟ ସମେତ କିଛି ସର୍ତ୍ତାବଳୀ ଗ୍ରହଣ କରିବାକୁ ପଡ଼ିବ। ଆମେରିକା ମଧ୍ୟ ତାଙ୍କୁ କହିଛି ଯେ ସେ ଯେତେ ଶୀଘ୍ର ସମ୍ଭବ ଭାରତ ସହ କଥା ହୁଅନ୍ତୁ ଏବଂ ସେମାନଙ୍କ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରନ୍ତୁ।
ପାକିସ୍ତାନରେ କାମ କରୁଥିବା ନିଜ ନାଗରିକଙ୍କ ପାଇଁ ବେଲୁଚିସ୍ତାନର ଗ୍ୱାଦରରେ ସାମରିକ ପୋଷ୍ଟ ନିର୍ମାଣ ଏବଂ ଯୁଦ୍ଧ ବିମାନ ପାଇଁ ଗ୍ୱାଦର ଅନ୍ତର୍ଜାତୀୟ ବିମାନବନ୍ଦରକୁ ବ୍ୟବହାର କରିବାକୁ ଚୀନ୍ ଦାବି କରୁଛି। ଏହା ଆମେରିକାକୁ ଚିନ୍ତାରେ ପକାଇଦେଇଛି ।
ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୁମ୍ ଗୁପ୍ତ ଭାବେ ବେଲୁଚିସ୍ତାନର ଗ୍ୱାଦର ବନ୍ଦର ପରିଦର୍ଶନ କରିଥିଲେ, ଯାହାକୁ ଅନେକ ରାଜନୈତିକ ବିଶ୍ଳେଷକ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କୂଟନୀତି ଆରମ୍ଭ ହେବାର ସଙ୍କେତ ବୋଲି କହିଥିଲେ।