ଦାଉଦ୍ ଇବ୍ରାହିମ୍ ବଞ୍ଚିଛି ଓ ସୁସ୍ଥ ଅଛି : ଛୋଟା ସକିଲ୍
ନୂଆଦିଲ୍ଲୀ: ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯିବା ପରେ ସେ ଗୁରୁତର ଥିବାର ଖବର ସକାଳୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ତାର ଘନିଷ୍ଠ ସହଯୋଗୀ ଛୋଟା ସକିଲ ଏହି ଖବରକୁ ଖଣ୍ଡନ କରିଛି। ଛୋଟା ସକିଲ ଏକ ଭାରତୀୟ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର କଥାବାର୍ତ୍ତାରେ କହିଛନ୍ତି ଯେ ଦାଉଦ ଇବ୍ରାହିମ ଜୀବିତ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି।
ସେ କହିଛି ଯେ, ସେ ନିଜେ ଏହି ମିଛ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ଗତକାଲି ସେ (ସକିଲ୍) ଦାଉଦକୁ ଏକାଧିକ ଥର ଭେଟିଥିଲା ।
ଉଲ୍ଲେଖନୀୟ ଯେ ଦାଉଦର ଖାଦ୍ୟରେ ବିଷ ମିଶାଇ ତାକୁ ହତ୍ୟା ଉଦ୍ୟମ କରାଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କରାଚିର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦାଉଦକୁ ବିଷ ଦିଆଯାଇଥିଲା। ଏହାପରେ ଦାଉଦ ଇବ୍ରାହିମଙ୍କ ଘନିଷ୍ଠ ସମ୍ପର୍କୀୟ ତଥା ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦଙ୍କ ସମେତ ପୂରା ପରିବାରକୁ ଗୃହବନ୍ଦୀ କରାଯାଇଥିଲା। ତେବେ ଦାଉଦଙ୍କ ମୃତ୍ୟୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ପାକିସ୍ତାନସୂତ୍ରରୁ ମଧ୍ୟ ଦାଉଦ ଇବ୍ରାହିମଙ୍କ ବିଷକ୍ରିୟା ଜନିତ ମୃତ୍ୟୁ ଖବରକୁ ନିଶ୍ଚିତ କରାଯାଇନାହିଁ। ତେବେ ପ୍ରତିରକ୍ଷା ବ୍ୟାପାର ବିଶେଷଜ୍ଞମାନେ କହୁଛନ୍ତି ଯେ ପାକିସ୍ତାନ କେବେ ବି ଏହି ମାମଲାରେ ସତ କହିବ ନାହିଁ କି ସତ ସାମ୍ନାକୁ ଆସିବ ନାହିଁ ।