ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା’ ଗଠନରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଦିନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ଟିଜିଟି ଓ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପର୍ବ ବାଣ୍ଟିବା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିଲାମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ଆମର ମହାନ ଦେଶ, ମହାନ ଜାତି ଓ ମହାନ ସଂସ୍କୃତିକୁ ଭଲ ପାଇବା ସହିତ ଏଥିପାଇଁ ଗର୍ବ ଅନୁଭବ କରିବାକୁ ପିଲାମାନଙ୍କୁ ପ୍ରେରଣା ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀ ଯେପରି ବଡ଼ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣଙ୍କ ସଫଳତା ପଛରେ ଆପଣଙ୍କ ପରିବାରର ସ୍ୱତନ୍ତ୍ର ଅବଦାନ ରହିଛି। ସେଥିପାଇଁ ସେ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଉଛି। ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ। ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ସହିତ ସେମାନଙ୍କୁ ରୂପାନ୍ତରିତ ନାଗରିକରେ ପରିଣତ କରିବାରେ ସାହାଯ୍ୟ କରେ। ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ଭଲ ଛାତ୍ର ସହିତ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ହେବା ଆବଶ୍ୟକ। ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିସନ।