ମହଙ୍ଗା ପଡ଼ିଲା ଇନ୍ଷ୍ଟାଗ୍ରାମ୍ ବନ୍ଧୁତା: ଲକ୍ଷ ଲକ୍ଷ ଟଙ୍କା ହରାଇଲେ ବିଚରା ଯୁବକ
ନୂଆଦିଲ୍ଳୀ: ସୋସିଆଲ୍ ମିଡିଆ ବନ୍ଧୁତ୍ବା ହେତୁ ପ୍ରତ୍ୟେକ ଦିନ କେହି ନା କେହି ଠକାମିର ଶିକାର ହେବାରେ ଲାଗିଛନ୍ତି। ପ୍ରତିଦିନ ସାଇବର ଠକାମିର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ନିକଟରେ ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି।ପ୍ରତିଦିନ ଏପରି ଅନେକ ମାମଲା ଆସୁଛି, ଯେଉଁଥିରେ ଠକମାନେ ସାଇବର ଠକେଇର ନୂଆ ନୂଆ ସୂତ୍ର ପ୍ରୟୋଗ କରି ଠକୁଛନ୍ତି। ଫରିଦାବାଦର କମଲ ନାମକ ଜଣେ ଯୁବକ ଏହାର ଶିକାର ହୋଇଛନ୍ତି । ଯୁବକ ଜଣକ ଠକାମିର ଶିକାର ହେବା ପରେ ଫରିଦାବାଦ ସାଇବର ପୁଲିସ ଷ୍ଟେସନରେ ଅଭିଯୋଗ ଆଣିଛନ୍ତି।
ଅଭିଯୁକ୍ତ ଯୁବକ କମଲଙ୍କ କହିବାନୁସାରେ ତାଙ୍କର ଇନ୍ଷ୍ଟାଗ୍ରାମ୍ରେ ଜଣେ ଯୁବତୀଙ୍କ ସହ ପରିଚୟ ଆରମ୍ଭ ହୋଇଥିଲା। ସେ ଦୁହେଁ ପ୍ରଥମେ ଚାଟିଂ କରିବା ଆରମ୍ବ କରିଥିଲେ। ହେଲେ ବାସ୍ତବରେ ଯୁବକ କମଲ ଯାହା ସହ କଥା ହେଉଥିଲେ ସେ କୌଣସି ଝିଅ ନୁହେଁ, ବରଂ ଜଣେ ପୁଅ ଥିଲେ।
ତାଙ୍କ କହିବା ମୁତାବକ ୭ ଦିନ କଥା ହେବା ପରେ ଝିଅ ବେଶଧାରୀ ପୁଅ ଜଣକ ତାଙ୍କୁ ସାକ୍ଷାତ କରିବାକୁ କହିଥିଲେ ଏବଂ ହଷ୍ଟେଲରେ ରୁହନ୍ତି ବୋଲି ମଧ୍ୟ କହିଥିଲେ। କମଲ ବି ତାଙ୍କ କଥାକୁ ପୂରା ବିଶ୍ବାସ କରି ଯାଇଥିଲେ। ଦିନେ କମଲଙ୍କ ନିକଟକୁ କଲ୍ ଆସିଲା ଓ ଝିଅ ବେଶଧାରୀ ପୁଅ ଜଣକ ତାଙ୍କୁ ଦେଖା କରିବାକୁ କହିଲେ।
ସେ କହିଥିବା ସ୍ଥାନକୁ କମଲ ଯାଇଥିଲେ। ବହୁତ ସମୟ ଅପେକ୍ଷା ପରେ ମଧ୍ୟ ସେଠାକୁ କେହି ଆସିନଥିଲେ । ଏହାପରେ କମଲ ଫୋନ କରିବାରୁ କେହି ଫୋନ ଉଠାଇନଥିଲେ । ଏହା ପରେ କମଲ ନିଜ ଘରକୁ ଚାଲିଯାଇଥିଲେ , ଏହାପରେ ସେଦିନ ସନ୍ଧ୍ୟାରେ କମଲଙ୍କୁ ଜଣେ ଫୋନକରି କହିଥିଲେ ଯେ ସେ କଥା ହେଉଥିବା ଅଞ୍ଜଳି ଆଉ ନାହାନ୍ତି। ଏହାପରେ ତାଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍ ଆସିବାରେ ଲାଗିଲା। ସେପଟରୁ ବ୍ଲାକ୍ମେଲ୍ ହେବାରୁ ଯୁବକ ଜଣକ ଥର ଥର କରି ୩ ଲକ୍ଷ ଟଙ୍କା ଭୟରେ ଦେଇ ଦେଇଥିବା ସୂଚନା ରହିଛି।