ରାଜ୍ୟ

ଦିଲ୍ଳୀରେ ଇଣ୍ଡିଆନ ମିଡିଆ କଂଗ୍ରେସ ଉଦ୍‍ଘାଟିତ;ଜନସ୍ୱାର୍ଥରେ କାମ କରନ୍ତୁ ସାମ୍ବାଦିକ: ମନ୍ତ୍ରୀ ପ୍ରତିମା ଭୌମିକ

ନୂଆଦିଲ୍ଲୀ, : ସାମ୍ବାଦିକଙ୍କ ଯୋଗୁଁ ଅନେକ ସମୟରେ ଲୋକଙ୍କୁ ନ୍ୟାୟ ଏବଂ ସରକାରୀ ସୁବିଧା ମିଳିପାରୁଛି । ଜନସ୍ୱାର୍ଥରେ ସାମ୍ବାଦିକ ମାନେ କାମ ଜାରି ରଖିବାକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ଆହ୍ୱାନ କରିଛନ୍ତି । ସ୍ଥାନୀୟ କନ୍‍ଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ତିନି ଦିବସୀୟ ଇଣ୍ଡିଆନ ମିଡିଆ କଂଗ୍ରେସକୁ ଉଦ୍‍ଘାଟନ କରି ମନ୍ତ୍‍ୀ ଭୌମିକ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ଼ ସମ୍ବିତ ପାତ୍ର କହିଥିଲେ ଯେ ସାମ୍ବାଦିକ ମାନେ କୌଣସି ପରିସ୍ଥିତିରେ ତଟସ୍ଥ ରହିବା ଉଚିତ୍‍ ନୁହେଁ । ମହାଭାରତ ଯୁଦ୍ଧର ଅବତାରଣା କରି ଦର୍ଶାଇଥିଲେ ଯେ ଯେଉଁ ଠାରେ ଧର୍ମ ରହିଛି ସେହିଠାରେ ହିଁ ରହିବାକୁ ପଡ଼ିବ ବୋଲି ଅର୍ଜୁନଙ୍କୁ ଭଗବାନ କୃଷ୍ଣଙ୍କ ପରାମର୍ଶ ରହିଥିଲା । ସାମ୍ବାଦିକ ମାନଙ୍କୁ ମୋର ପରାମର୍ଶ ଧର୍ମ ଯେଉଁ ଠାରେ ଅଛି, ତାର ସପକ୍ଷରେ କଲମ ଚାଳନା କରନ୍ତୁ । ସାଂପ୍ରତିକ ପରିସ୍ଥିତିରେ ଧର୍ମର ଅର୍ଥ ହେଉଛି ସମାଜର ଅନ୍ତିମ ଧାଡ଼ିରେ ରହିଥିବା ଗରିବଙ୍କ ବିକାଶ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ସାମ୍ବାଦିକ ମାନେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ପାଇଁ ଉନ୍ମୋଚିତ ‘ଲୋଗୋ’କୁ ପ୍ରଶଂସା କରି କହିଥିଲେ ଯେ ଆଗାମୀ ଦିନରେ ଏହା ଗଣମାଧ୍ୟମର ପରିଚୟ ବନିବ । ଏଥିରେ ଛାପା, ବୈଦ୍ୟୁତିକ, ଡିଜିଟାଲ ଆଦି ସମସ୍ତ ଗଣମାଧ୍ୟମକୁ ସ୍ଥାନ ଦିଆଯାଇଛି । ଲୋଗୋ ନିର୍ମାଣ କରିଥିବା ଶିଳ୍ପୀ ପ୍ରଦ୍ୟୁମ୍ନ ଦାସଙ୍କୁ ଡ଼ ପାତ୍ର ସାଧୁବାଦ ଜଣାଇଥିଲେ ।
ଓଡ଼ିଆ ଦୈନିକ ‘ପର୍ଯ୍ୟବେକ୍ଷକ’ର ସଂପାଦକ ଡ଼ ପବିତ୍ର ମୋହନ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ ତିରୁପତି ପାଣିଗ୍ରାହୀ, ସାମ୍ବାଦିକତା କ୍ଷେତ୍ରରେ ପ୍ରମେୟର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ନିଗମାନନ୍ଦ ପୃଷ୍ଟି, ସମାଜର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଶକ୍ତି ପ୍ରସାଦ ନାୟକ, ନ୍ୟୁଜ ୭ର ବରିଷ୍ଠ ସାମ୍ବାଦିକା ଶବନମ ଆଦାନି, ସମାଜସେବା କ୍ଷେତ୍ରରେ ଡ଼ ଶେଖ ମୁସଲିମ ଟୁଲ୍ଲା ଓ ଆଦିତ୍ୟ ମୁଦଗଲଙ୍କ ସମେତ କଳାକାର ୱାରୟମ ମସ୍ତଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଞ୍ଜୟ ଦାସ, ଉପସଭାପତି ରଜନୀକାନ୍ତ ସାମନ୍ତରାୟ, ସାଧାରଣ ସଂପାଦକ ହୃଷିକେଶ ମହାନ୍ତିଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଶତାଧିକ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *