ଇସ୍ରାଏଲର ଚରମ ପ୍ରତିଶୋଧ, କବରରେ ଥିବା ଶବକୁ ବି ଛାଡୁନି
ତେଲ ଅବିଭ/ଗାଜା: ଇସ୍ରାଏଲ ଓ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ଅକ୍ଟୋବର ୭ ତାରିଖରୁ ଯୁଦ୍ଧ ଚାଲିଛି। ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଭୟଙ୍କର ଆକ୍ରମଣ କରାଯାଉଛି । ଇସ୍ରାଏଲ ଏପରି ପ୍ରତିଶୋଧ ନେଉଛି ଯେ ମହିଳା, ଶିଶୁ ତ ଦୂରର କଥା କବରରେ ଥିବା ମୃତଦେହଗୁଡ଼ିକୁ ବି ଛାଡ଼ୁନାହିଁ । ସିଏନ୍ଏନ୍ ର ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ଇସ୍ରାଏଲ ସେନା କମଲ ଆଦୱାନ ହସ୍ପିଟାଲ ଉପରେ ଆକ୍ରମଣ କରିଥିଲା। ଏଠାରେ ଥିବା କର୍ମଚାରୀ ଓ ରୋଗୀଙ୍କ କହିବା ଅନୁସାରେ, ଇସ୍ରାଏଲ ସୈନିକମାନେ ବୁଲଡୋଜର ସାହାଯ୍ୟରେ ପାଲେଷ୍ଟାଇନର ମୃତଦେହ ବାହାର କରିଥିଲେ ଓ ନଷ୍ଟ କରିଦେଇଥିଲେ । ଆହୁରି ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ ଅନେକ ଡାକ୍ତରଙ୍କୁ ଗୁଳି କରାଯାଇଥିଲା।
କମଲ ଅଦୱାନ ହସ୍ପିଟାଲର କର୍ମଚାରୀ ସିଏନ୍ଏନ୍କୁ କହିଛନ୍ତି, ହ୍ୱିଲଚେୟାରରେ ଜଣେ ରୋଗୀ ଥିଲେ। ଇସ୍ରାଏଲ୍ ସେନାର କୁକୁରମାନେ ତାଙ୍କୁ ଝୁଣି ମାରିଦେଲେ । ଇସ୍ରାଏଲ ସେନା ଏହି ହସ୍ପିଟାଲରେ ୮ ଦିନ ଧରି ଅପରେସନ୍ ଚଳାଇଛି। ସେନା ଦାବି କରିଛି ଯେ ଏହି ଡାକ୍ତରଖାନା ହେଉଛି ହାମାସର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ।
ଡାକ୍ତରଖାନାର ଶିଶୁ ସେବା ମୁଖ୍ୟ ହୋସାମ ଅବୁ ସଫିଆ କହିଛନ୍ତି, ଇସ୍ରାଏଲ ସୈନିକମାନେ କବର ଖୋଳି ମୃତଦେହକୁ ବୁଲଡୋଜର ରେ ଟାଣି ନେଇଥିଲେ। ମୃତଦେହଗୁଡ଼ିକୁ ବୁଲଡୋଜର ଚଢାଇ ନଷ୍ଟକରି ଦିଆଯାଇଥିଲା।
ADVERTISEMENT