ମୁମ୍ବାଇକୁ ଅଣାଗଲା ଡ୍ରୋନ ଆକ୍ରମଣର ଶିକାର ହୋଇଥିବା ଜାହାଜ
ମୁମ୍ବାଇ : ଆରବ ସାଗରରେ ଡ୍ରୋନ ଆକ୍ରମଣର ଶିକାର ହୋଇ କ୍ଷତିଗ୍ରସ୍ତ ହୋଇଥିବା ବାଣିଜ୍ୟିକ ଜାହାଜ ଏମଭି ଚେମ୍ ପ୍ଲୁଟୋକୁ ମୁମ୍ବାଇ ଅଣାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ର ଆଇସିଜିଏସ ବିକ୍ରମର ସୁରକ୍ଷା ମଧ୍ୟରେ ଏହି ଜାହାଜକୁ ମୁମ୍ବାଇକୁ ଅଣାଯାଇଛି ।
ଏହି ତୈଳବାହୀ ଜାହାଜଟି ସାଉଦି ଆରବରୁ ଭାରତର ମାଙ୍ଗାଲୋରକୁ ଆସୁଥିଲା । ତେବେ ଗତ ୨୩ ତାରିଖରେ ଭାରତର ପୋରବନ୍ଦରଠାରୁ ୨୧୭ ନଟିକାଲ ମାଇଲ୍ ଆରବ ସାଗରରେ ଥିବାବେଳେ ଏହା ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା । ଏହା ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ ଜାହାଜର ଇଂଜିନ ବନ୍ଦ ହୋଇଯାଇଥିଲା । ଏହା ପରେ ଜାହାଜ ପକ୍ଷରୁ ସହାୟତା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରାଯିବା ପରେ ସେଠାକୁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଜାହାଜ ପଠାଯାଇଥିଲା । ଇରାନ ସମର୍ଥୀତ ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ କରିଥିବା ସଂଦେହ କରାଯାଉଛି ।
ମୁମ୍ବାଇରେ ପହଞ୍ଚିବା ପରେ ଏହି ଜାହାଜରେ ଥିବା କର୍ମଚାରୀମାନଙ୍କୁ ଆଉ ଏକ ଜାହାଜକୁ ଅଣାଯିବ । ଏହା ପରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ ଓ ଗୁଇନ୍ଦା ଏଜେନ୍ସିମାନେ ଜାହାଜକୁ ନିଜ ଅକ୍ତିଆରକୁ ନେଇ ଆକ୍ରମଣର ତଦନ୍ତ କରିବେ । ଏହି ଆକ୍ରମଣଟି ଡ୍ରୋନ ସାହାଯ୍ୟରେ କିମ୍ବା କ୍ଷେପଣାସ୍ତ୍ର ମାଡକରି କରାଯାଇଥିଲା ତାହାର ତଦନ୍ତ କରାଯିବ । ଅନ୍ୟପକ୍ଷରେ ଏହି ଘଟଣା ପରେ ଆରବ ସାଗରରେ ସୁରକ୍ଷାକୁ ବଢାଇଦିଆଯାଇଛି ।