ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବିରେ ଆରବିଆଇ, ଏଚଡିଏଫସି ଓ ଆଇସିଆଇସିଆଇ ଉପରେ ବୋମା ମାଡ଼ ଧମକ
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି; ଯେଉଁଥିରେ ଆରବିଆଇ, ଏଚ୍ଡିଏଫ୍ସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ବୋମା ସାହାଯ୍ୟରେ ଆକ୍ରମଣ କରାଯିବ ବୋଲି ଧମକ ଦିଅଯାଇଛି। ସଂପୃକ୍ତ ଧମକପୂର୍ଣ୍ଣ ଇ-ମେଲ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ଅଜ୍ଞାତ ଧମକଦାତାମାନେ।
ମଙ୍ଗଳବାର ଅପରାହ୍ନ ସାଢ଼େ ଗୋଟାଏ ବେଳେ ମୁମ୍ବାଇର ୧୧ଟି ସ୍ଥାନରେ ମୋଟ ୧୧ଟି ବୋମା ମାଡ଼ ହେବ ବୋଲି ଇ- ମେଲ୍ରେ ଧମକ ଦିଆଯାଇଛି। ମୁମ୍ବାଇ ପୁଲିସ କହିଛି ଯେ ସେମାନେ ତଦନ୍ତ କରିବା ପାଇଁ ଇ- ମେଲରେ ଉଲ୍ଲେଖ ଥିବା ସମସ୍ତ ସ୍ଥାନକୁ ଯାଇଥିଲେ କିନ୍ତୁ କିଛି ପାଇ ନଥିଲେ।
ଧମକ ଦେଇଥିବା ଇମେଲ୍ ଆଇଡିକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୁମ୍ବାଇର ଏମଆରଏ ମାର୍ଗ ପୁଲିସ ଷ୍ଟେସନରେ ଏହି ଧମକ ପୂର୍ଣ୍ଣ ଇ- ମେଲର ତଦନ୍ତ ପାଇଁ ଏକ ମାମଲା ରୁଜୁ କରାଯାଇଛି।