ରାଜ୍ୟ

ବ୍ରିଜଭୂଷଣ ସିଂହଙ୍କୁ ବିରୋଧ କରି ଧ୍ୟାନଚନ୍ଦ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇବାକୁ କହିଲେ ବିନେଶ ଫୋଗାଟ

ନୂଆଦିଲ୍ଲୀ: ପୂର୍ବତନ  ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫ୍ଆଇ) ର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ପୂର୍ବରୁ କିଛି କୁସ୍ତିଯୋଦ୍ଧାମାନେ ତାଙ୍କ ପୁରସ୍କାର ଫେରାଇବା ପରେ ଏବେ ବିନେଶ ଫୋଗାଟ ତାଙ୍କ ପୁରସ୍କାର ଫେରସ୍ତ କରିବାକୁ ଘୋଷଣା କରିଛନ୍ତି।ଫୋଗାଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ମୁଁ ମୋର ‘ମେଜର ଧ୍ୟାନଚନ୍ଦ ଖେଳ ରତ୍ନ’ ଏବଂ ଅର୍ଜୁନ ପୁରସ୍କାର ଫେରସ୍ତ କରୁଛି। ମୋତେ ଏହି ପରିସ୍ଥିତିକୁ ଆଣିଥିବାରୁ ଶକ୍ତିଶାଳିମାନଙ୍କୁ ଅନେକ ଅନେକ ଧନ୍ୟବାଦ। ସେ ଏହି ଚିଠିକୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଥିବା ଦେଖାଯାଇଛି।

ବିନେଶ ଫୋଗାଟଙ୍କ ନିଷ୍ପତ୍ତିକୁ ନେଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ, ମୋ ପାଖରେ ଆଉ କିଛି କହିବାକୁ ବାକି ନାହିଁ। କୌଣସି ଖେଳାଳିଙ୍କୁ ଏହି ଦିନ ଦେଖିବାକୁ ନପଡ଼ୁ। କିଛି ଦିନ ତଳେ ବଜରଙ୍ଗ ପୁନିଆ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଥିଲେ। ଏହାପୂର୍ବରୁ ସାକ୍ଷୀ ମଲିକ କୁସ୍ତି ଛାଡିବାକୁ ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ, ବ୍ରିଜଭୂଷଣଙ୍କ ଉପରେ ଯୌନ ନିର୍ଯ୍ୟାତନାର ଆରୋପ ଲାଗିବା ପରେ ୧୧ମାସ ହେଲାଣି ଡବ୍ଲୁଏଫ୍ଆଇର ସଭାପତି ପଦ ଖାଲିଥିଲା। ଡିସେମ୍ବର ୨୧ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଅତି ନିକଟତର ସଞ୍ଜୟ ସିଂଙ୍କୁ ଡବ୍ଲୁଏଫ୍ଆଇର ସଭାପତି ପଦ ଦିଆଯାଇଥିଲେ। ଏହାକୁ ବିରୋଧ କରି ଡିସେମ୍ବର ୨୨ରେ ବଜରଙ୍ଗ ପୁନିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ପଦ୍ମଶ୍ରୀ ଫେରାଇବାକୁ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ରିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ନିଜ ଜୋତା ଟେବୁଲ ଉପରେ ରଖି କୁସ୍ତିରୁ ଅବସର ଘୋଷଣା କରି କହିଥିଲେ ଯେ, ଆମେ ହୃଦୟରୁ ଲଢ଼େଇ ଲଢ଼ିଲୁ। କିନ୍ତୁ ସବୁ ପରେ ବି ଯଦି ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ଡବ୍ଲୁଏଫଆଇର ସଭାପତି ଭାବରେ ନିର୍ବାଚିତ ହେଲେ, ତେବେ ମୁଁ କୁସ୍ତି ଛାଡୁଛି।”

Leave a Reply

Your email address will not be published. Required fields are marked *