ବାଲେଶ୍ବରରେ ନୂତନ ଆର.ଡି.ସି କାର୍ଯ୍ୟାଳୟ ଓ ମ୍ୟୁନିସପାଲ କର୍ପୋରେସନ ଏବଂ ଜଳେଶ୍ଵରକୁ ସବଡିଭିଜନ ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି ପଟ୍ଟନାୟକ
ବାଲେଶ୍ୱର: ଉତ୍ତର ଓଡ଼ିଶା ତଥା ବାଲେଶ୍ୱରବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ନବଜ୍ୟୋତି
ପଟ୍ଟନାୟକ । ବିଶେଷ କରି ଭିତ୍ତିଭୂମି ଥାଇ ମଧ୍ୟ ବାଲେଶ୍ୱର ଜିଲ୍ଲା ଏବେ ସବୁ ଦିଗରୁ ଅନେକ ପଛରେ ପଡ଼ିଛି । ତେଣୁ ଏହି ଜିଲ୍ଲାର ବିକାଶ
ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ନବଜ୍ୟୋତି । ଏହି ଜିଲ୍ଲାର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ କ’ଣ
କ’ଣ ଆବଶ୍ୟକ ସେ ସମ୍ପର୍କରେ ଏକ ତଥ୍ୟଭିତ୍ତିକ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ ସେ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ନବଜ୍ୟୋତି ଲେଖିଛନ୍ତି ବାଲେଶ୍ୱର ଜିଲ୍ଲାରେ ରାଜସ୍ୱ ବିଭାଗୀୟ କମିଶନର୍ ଅଫିସ୍ (ଆରଡିସି) କାର୍ଯ୍ୟାଳୟ
ପ୍ରତିଷ୍ଠା ନିହାତି ଆବଶ୍ୟକ । ରାଜ୍ୟ ସରକାର ତିନୋଟି ରାଜସ୍ୱ ବିଭାଗ ଗଠନ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତ ଉତ୍ତର ଓଡିଶାର ପ୍ରତିନିଧିତ୍ୱ
ପ୍ରତିଷ୍ଠା କରିବାରେ ବାଲେଶ୍ୱର ଜିଲ୍ଲା ବାଦ ପଡ଼ିଛି ବୋଲି ସେ କହିଛନ୍ତି । ସେହିପରି ଜିଲ୍ଲାର ମ୍ୟୁନିସିପାଲିଟି ସଂସ୍ଥାର ନବୀକରଣ
ଆଜିପର୍ଯ୍ୟନ୍ତ ହୋଇନାହିଁ । ତେଣୁ ଜିଲ୍ଲାର ଜନସାଧାରଣ ବିକାଶମୂଳକ ଯୋଜନାର ଲାଭ ପାଇପାରୁନାହାଁନ୍ତି। ରାଜ୍ୟ ସରକାର ଅନେକ
ସମୟରେ ମୁନିସିପାଲିଟି ସଂସ୍ଥାଗୁଡ଼ିକୁ ମ୍ୟୁନିସିପାଲିଟି କର୍ପୋରେସନ୍କୁ ଉନ୍ନୀତ କରିଛନ୍ତି । କିନ୍ତୁ ବାଲେଶ୍ୱରବାସୀଙ୍କ ଅର୍ଥନୈତିକ ବିକାଶ
କଥା ରାଜ୍ୟ ସରକାର ଭୁଲି ଯାଇଛନ୍ତି । ଉପକୂଳ ଓଡ଼ିଶାର କଟକ, ଭୁବନେଶ୍ୱର ଭଳି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ରାଉରକେଲା ଏବଂ
ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରବାସୀ ସମସ୍ତ ସୁବିଧା ପାଉଛନ୍ତି କିନ୍ତୁ ଉତ୍ତର ଓଡ଼ିଶାର ବାଲେଶ୍ୱର ଏଯାବତ ମ୍ୟୁନିସିପାଲ କର୍ପୋରେସନ
ହୋଇନ’ଥିବାରୁ ବାଲେଶ୍ୱରବାସୀ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଜଲେଶ୍ୱରରେ ସବ-ଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନେଇ ବାରମ୍ବାର
ଦାବି ହୋଇଥିବା ସତ୍ତ୍ଵେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିବା ସେ କହିଛନ୍ତି । ଏସବୁ ଦାବିଗୁଡିକ ଆଗାମୀ ଦିନରେ
କ୍ୟାବିନେଟସ୍ତରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା କରାଯିବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଏହି ଅବସରରେ ନୂଆବର୍ଷ ପାଇଁ
ଆଗୁଆ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ନବଜ୍ୟୋତି ପଟ୍ଟନାୟକ ।