ଆରବିଆଇ ର ଆର୍ଥିକ ସଚେତନତା ଉପରେ ‘ୱାକାଥନ’
ସମ୍ବଲପୁର 30|12 : ଜନ ସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡିସେମ୍ବର 30, 2023 ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ସମ୍ବଲପୁର ଠାରେ ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଏକ ‘ୱାକାଥନ’ ଆୟୋଜିତ କରାଯାଇଥିଲା | ଏହି ‘ୱାକାଥନ’ ତପସ୍ୱିନୀ ହଲ ଠାରୁ ଆରମ୍ଭ ହୋଇ ଲକ୍ଷ୍ମୀଟକିଜ ଛକ ଯାଏଁ ଯାଇ ପୁଣି ପାନ୍ଥ ନିବାସରେ ଶେଷ ହୋଇଥିଲା | ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଇତ୍ୟାଦି ସଂଖ୍ୟାରେ ପ୍ରାୟ 300 ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣ କରିଥିଲେ | ‘ୱାକାଥନ’ ପରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଆର୍ଥିକ ସାକ୍ଷରତା, ସାଇବର ସିକ୍ୟୁରିଟି, ଡିଜିଟାଲ ବ୍ୟଙ୍କିଙ୍ଗ, ବିଭିନ୍ନ ପ୍ରକାରର ଠକେଇ, ଚିରା ଫଟା ନୋଟ ବିନିମୟ ସୁବିଧା, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ଆର. ବି. ଆଇ. ର ଏକୀକୃତ ଲୋକପାଳ ଯୋଜନା ଇତ୍ୟାଦି ଉପରେ ଅଧିବେଶନ ନିଆଯାଇଥିଲା | ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଉପ-ମହାପ୍ରବନ୍ଧକ ମଧୁକର ଆନନ୍ଦ,ସହାୟକ ମହାପ୍ରବନ୍ଧକ, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା, ପ୍ରବନ୍ଧକ ଉତ୍କଳ କୁମାର ସାହୁ, ଏବଂ ସହାୟକ ଦୀପକ କୁମାର ଜେନା ଉପସ୍ଥିତ ଥିଲେ | ଏହା ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମଣ୍ଡଳ ଅଧ୍ୟକ୍ଷ ଅଜିତ କୁମାର ମେହେର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଉପ-ମହାପ୍ରବନ୍ଧକ ମନମୋହନ ସ୍ୱାଇଁ, ସିରଜିତ କୁମାର ବେହେରା, ଜୋନାଲ ହେଡ଼, ବ୍ୟାଙ୍କ ଅଫ ଇଣ୍ଡିଆ, ଧର୍ମେନ୍ଦ୍ର ରାଜୋରିଆ, ଜୋନାଲ ହେଡ଼, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ସୁଧୀର କୁମାର ଲାକ୍ରା, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ, ସମ୍ବଲପୁର, ନାବାର୍ଡର ଜିଲ୍ଲା ମୁଖ୍ୟ ଧୀରେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ଅନ୍ତେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମଣ୍ଡଳ ଅଧ୍ୟକ୍ଷ ଅଜିତ ମେହେର ରିଜର୍ଭ ବ୍ୟାଙ୍କର ଏହି କାର୍ଯ୍ୟକ୍ରମର ଉପଯୋଗିତା ବିଷୟ କହି ଧନ୍ୟବାଦ ଜ୍ଞାପନ କରିଥିଲେ