ନିରାଶ ହେଲେ ଇମ୍ରାନ୍, ନାମାଙ୍କନ ପତ୍ର ଖାରଜ କଲେ ନିର୍ବାଚନ ଆୟୋଗ
ଇସଲାମାବାଦ: ନିରାଶ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ନାମାଙ୍କନ ପତ୍ର ଖାରଜ କଲେ ନିର୍ବାଚନ ଆୟୋଗ। ୨୦୨୪ ମସିହାରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଥିଲେ। ହେଲେ ପାକିସ୍ତାନର ନିର୍ବାଚନ ଆୟୋଗ ତାଙ୍କ ନାମାଙ୍କନ ପତ୍ରକୁ ଖାରଜ କରିଥିବା ଜଣାଯାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ପାକିସ୍ତାନ ନିର୍ବାଚନ ଆୟୋଗ ଶନିବାର (ଜାନୁଆରି ୩୦) ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇମ୍ରାନ ଖାନ ଦୁଇଟି ନିର୍ବାଚନମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ତାଙ୍କ ନାମାଙ୍କନ ପତ୍ର ଖାରଜ କରାଯାଉଛି।
ଏପ୍ରିଲ୍ ୨୦୨୨ରେ ପ୍ରଧାନମନ୍ତ୍ରୀ ପଦରୁ ହଟାଯିବା ପରଠାରୁ ୭୧ବର୍ଷୀୟ ଇମ୍ରାନ ଖାନ ଉଭୟ ରାଜନୈତିକ ଏବଂ ଆଇନଗତ ଯୁଦ୍ଧ ଲଢ଼ିଥିଲେ। ପ୍ରଧାନମନ୍ତ୍ରୀ ଥିବା ସମୟରେ ଇମ୍ରାନ ଖାନ ବେଆଇନ ଭାବେ ସରକାରୀ ଉପହାର ବିକ୍ରି କରିଥିବା ଅଭିଯୋଗ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଅଗଷ୍ଟରେ ତିନି ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ସେବେଠାରୁ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳି ନଥିଲା।
ଇମ୍ରାନ ଖାନଙ୍କ ମିଡିଆ ଟିମ୍ ପକ୍ଷରୁ କୁହାଯାଇଛି ଯେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେତୁ ଫେବ୍ରୁଆରି ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଖାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ସେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଥିଲେ, ଯାହାକୁ ନିର୍ବାଚନ ଆୟୋଗ ଖାରଜ କରିଛନ୍ତି।