କଳିଙ୍ଗନଗର ବିକାଶ ର ମୁକସାକ୍ଷୀ ରାବଣା ଗ୍ରାମର ଆଦିବାସୀ କୁଡୁମୀ ସାହି l
ଯାଜପୁର (କଳିଙ୍ଗନଗର) :- ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାରେ କେହିବି ଜଣେ ଲୋକ ଭୋକ ଉପାସରେ ରହିବ ନାହିଁ। ମୋ ଓଡ଼ିଶା ପ୍ରତି କ୍ଷେତ୍ରରେ ବିକାଶ କରୁଛି । କେ ବି କେ ଭଳି ଚିତ୍ର ଆଜି ଦେଖିବାକୁ ମିଳୁନାହିଁ । ସତରେ କଣ ଆମେ ବିକାଶ ପଥରେ ଆଗେଇ ଚାଲିଛନ୍ତି? ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ବିକାଶ ହେଉଛି । ଯଦି ବିକାଶ ହେଉଛି ତେବେ ନଗଡା ପରି ନଗ୍ନ ଚିତ୍ର କାହିଁକି ଦେଖିବାକୁ ମିଳୁଛି ଶିଳ୍ପାଞ୍ଚଳ କଳିଙ୍ଗନଗର ଛାତିରେ? ଏହା ପ୍ରଶାସନର ଉଦାସୀନତା ନା ରାଜନେତା ମାନଙ୍କର ଅଣଦେଖା।ଚଳିତ ମାସ ରେ ଏହି କଳିଙ୍ଗନଗର ଛାତି ଉପରେ ବିକାଶ ର ଡିଣ୍ଡିମ ପିଟୁଥିବା ମନ୍ତ୍ରୀ ଓ ଶିଳ୍ପାନୁଷ୍ଠାନ ର ଅଧିକାରୀ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଳିଙ୍ଗନଗର ମହୋତ୍ସବ ପାଳନ କଲେ l ରାଜ୍ୟରୁ ଓ ରାଜ୍ଯ ବାହାରୁ ବଡ଼ ବଡ଼ କଳାକାର ମାନଙ୍କୁ ଆଣି ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରି ବାଃ ବାଃ ନେଉଥିବା ବେଳେ ଏହିଠାରୁ ମାତ୍ର ଅଳ୍ପ କିଛି ଦୂରରେ ଗୋଟିଏ ନିରାଶ୍ରୟ ଅସହାୟ ଆଦିବାସୀ ପରିବାର ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି l ସରକାର ନିରାଶ୍ରୟ ମାନଙ୍କ ପାଇଁ କେତେ ଯୋଜନା କରିଛନ୍ତି କିନ୍ତୁ ଏବେ ବି ସରକାରୀ ସହାୟତା କୁ ଅପେକ୍ଷା କରି ଭୋକ ଉପାସରେ ଜୀବନ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି ଦାନଗଦୀ ବ୍ଲକ୍ ଅଧୀନସ୍ଥ ମାନତୀରା ପଞ୍ଚାୟତର ରାବଣା ଗ୍ରାମର ଆଦିବାସୀ ଜନଜାତି କୁଡ଼ୁମି ସାହିରେ। ଭୋଟ ବେଳେ ଏମାନଙ୍କ କଥା ମନେପଡେ ନେତା ଓ କୁଜିନେତାଙ୍କର l
ଏଠାରେ ଆମେ ସୂଚନା ଦେଉଛୁ ଯେ, କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ ବ୍ଲକ, ରାବଣା ଗ୍ରାମର କୁଡୁମୀ ସାହିରେ ୫୦ ରୁ୬୦ ଆଦିବାସୀ ପରିବାର ବସବାସ କରୁଛନ୍ତି । ତନ୍ମଧ୍ୟରୁ କୁଡୁମୀ ମୁଣ୍ଡା ଙ୍କ ପରିବାର ଙ୍କ ଦୁର୍ଦ୍ଦଶା ଆଖିରେ ନ ଦେଖିଲେ ବିଶ୍ବାସ ହେବନାହିଁ l ବୟସ ପ୍ରାୟ ୭୦ ହେବ।ପରିବାର କହିଲେ ସ୍ତ୍ରୀ ସୁକୁରା ମୁଣ୍ଡା ବୟସ ୬୨ ,ପୁଅ ବୋହୁ ନାତି ନାତୁଣୀ ଙ୍କୁ ନେଇ ଦୁଃଖ କଷ୍ଟରେ ଘର ଚଳି ଯାଉଥିଲା। ପୁଅ ବୋହୂଙ୍କ ସହ ବୃଦ୍ଧା ବୟସ କଟିବ ବୋଲି କୁଡୁମୀ ଆଶା ବାନ୍ଧିଥିଲା । ମାତ୍ର ବିଧିର ବିଧାନ ର ଅନ୍ୟ ବିଚାର ଥିଲା, ଦଇବ ଦାଉ ସାଧିଲା, ସବୁ ଓଲଟ ପାଲଟ ହେଇଗଲା। ପୁଅ ବୋହୁ ଜଣଙ୍କ ପରେ ଜଣେ ଆର ପାରିକୁ ଚାଲିଗଲେ, ନିଜର ଚାରି ଚାରୋଟି ଛୋଟ ନାତି ନାତୁଣୀ କୁ ନେଇ କଣ କରିବ କୁଡ଼ୁମୀ ଏବେ ଚିନ୍ତାରେ ।ଏଣେ ବାର୍ଦ୍ଧକ୍ୟ ତାଙ୍କୁ ଜାବୁଡ଼ି ଧରିଛି।ନିଜେ କୁଡୁମୀ ବାତ ରୋଗରେ ପୀଡିତ। ଠିକ୍ ସେ ଚାଲି ବୁଲି ପାରୁନାହାନ୍ତି । ଭିକ୍ଷାବୃତ୍ତି କରି ମାଗି ଗୁଜୁରାଣ ମେଣ୍ଟାଇବାକୁ ପଡ଼ୁଛି । ଓଳିଏ ଖାଇଲେ ଆର ଓଳି ଉପାସ।ଏହାରି ଭିତରେ ଛୋଟ ନାତି ନାତୁଣୀ ତାଙ୍କ ବେକରେ ବନ୍ଧା । ଖାଇବା ପାଇଁ ଦାନା ନାହିଁ,ଘୋଡେ଼ଇ ହେବାକୁ ଶୀତ ବସ୍ତ୍ର ନାହିଁ କି ପିନ୍ଧିବାକୁ ଲୁଗାଟିଏ ନାହିଁ।ଔଷଧ ଖାଇବାକୁ ପଇସା ଆସିବ କୁଆଡୁ! ନିଜର ବୋଝ ସହିତ ବୃଦ୍ଧା ବୟସରେ ଚାରି ଚାରୋଟି ଛୋଟ ପିଲାଙ୍କର ବୋଝ।ନାତି ନାତୁଣୀ ସେମିତି ଫୁଙ୍ଗୁଳା ଆଉ ନୁଖୁରା ହୋଇ ବୁଲୁଛନ୍ତି। ଆହା ପଦେ କହିବାକୁ କେହି ନାହାନ୍ତି।ସରକାରୀ ଯୋଜନାରେ କିଛି ବି ମିଳୁନାହିଁ।ବୟସ ୭୦ ହେଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ମିଳୁନାହିଁ।ଏମିତିକି ବି ପି ଏଲ କାର୍ଡଧାରୀ ହୋଇଥିଲେ ମଧ୍ୟ ସରକାରୀ ଯୋଜନାରେ ଚାଉଳ ଗଣ୍ଡେ ମିଳୁନାହିଁ।ଏଠି ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ଯଦି ଅଭାବୀ,ଦୁଃଖୀ,ଦରିଦ୍ର ଲୋକଙ୍କୁ ସରକାରୀ ସହାୟତା ମିଳିବ ନାହିଁ ତେବେ ସରକାରୀ ଯୋଜନା କାହା ପାଇଁ ? ଗାଁର ମୁଣ୍ଡି ବୋଲାଉଥିବା କୁଜି ନେତା ମାନଙ୍କର ନଜର ମଧ୍ୟ ପଡୁନାହିଁ। ଯଦି ବା ପଡୁଛି ମୁହଁ ବୁଲାଇ ପଳେଇ ଆସୁଛନ୍ତି।କିନ୍ତୁ ଦୁଃଖର ବିଷୟ ନିର୍ବାଚନ ବେଳେ ଏ ଆଦିବାସୀଙ୍କ ଭୋଟ ତାଙ୍କର ଦରକାର ପଡେ।ଅନେକ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ଯେଝା ବାଟରେ ଯେଝା l ବୃଦ୍ଧା ଦମ୍ପତ୍ତି ଆଉ ପିଲାମାନେ କିପରି ବଞ୍ଚିବେ ତାହା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ଶିଳ୍ପନଗରୀରେ ବୃଦ୍ଧା କୁଡୁମୀ ମୁଣ୍ଡା ଙ୍କୁ ଦେଖିଲେ ବିକାଶର ଚିତ୍ର ସ୍ପଷ୍ଟ ବାରି ହୋଇ ପଡ଼ୁଛି।ସତରେ କଣ ଦୀପ ତଳ ଅନ୍ଧାର ପରି ପଡ଼ି ରହିବ ବୃଦ୍ଧ କୁଡୁମୀ।ତେଣୁ କୁଡୁମୀ ଏବେ ଜୀବନ ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ସରକାରୀ ସହାୟତା ଅପେକ୍ଷାରେ ରହିଛି। କେବେ ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧି ପହଞ୍ଚି କୁଡୁମୀର ଦୁଃଖ ବୁଝିବେ ଦେଖିବାକୁ ବାକି ରହିଲା। (ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)