ରାଜ୍ୟ

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି। ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ। ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବ। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବ। ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରାଯିବ। ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍‌ମାନେ ଯୋଗ ଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଓ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ । ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ। ଏଥିସହ ବିଶେଷଜ୍ଞମାନେ ଏହି ତିନି ଦିନରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ।

ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ। ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖି ହେବ ଏ ସମ୍ପର୍କରେ ମଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀମାନଙ୍କ ନିମନ୍ତେ ଏକ ନୂତନ ଆଲୋକବର୍ତ୍ତିତା ହେବ।

Leave a Reply

Your email address will not be published. Required fields are marked *