ରାଜ୍ୟ

ଇଣ୍ଡିଆ ମେଣ୍ଟରେ ଫାଟ ! କଂଗ୍ରେସକୁ ବାଦ ଦେଇ ବୈଠକ କରିପାରନ୍ତି ସହଯୋଗୀ ଦଳ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଲଢିବାକୁ ଗଠିତ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ବିଜେପି ବିରୋଧରେ ଲଢିବେ କଣ, ବିରୋଧୀ ଦଳମାନେ କଂଗ୍ରେସ ବିରୋଧରେ ମେଳି କରିବା ଆରମ୍ଭ କରିଛନ୍ତି ।ଏନଡିଟିଭିର ଏକ ରିପୋର୍ଟ ଅନୁଯାୟୀ, ଆଞ୍ଚଳିକ ଦଳଗୁଡ଼ିକ କଂଗ୍ରେସ ଉପରେ କ୍ଷୁବ୍ଧ ଅଛନ୍ତି ଏବଂ ଏହି ଦଳଗୁଡ଼ିକ କଂଗ୍ରେସକୁ ଅଲଗା କରି ବୈଠକ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ଏହି ଦଳଗୁଡ଼ିକ ଅନଲାଇନରେ ବୈଠକ କରି ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ଜେଡିୟୁର ନୀତୀଶ କୁମାର, ଶିବସେନାର ଉଦ୍ଧବ ଠାକରେ, ଆପ୍ ର ଅରବିନ୍ଦ କେଜ୍ରିୱାଲ, ଟିଏମସିର ମମତା ବାନାର୍ଜୀ ଏବଂ ଏନସିପିର ଶରଦ ପାୱାରଙ୍କ ସମେତ ଅନ୍ୟ ଆଞ୍ଚଳିକ ଦଳର ନେତାମାନେ ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି। ଏହା ସହ ଅନ୍ୟ କିଛି ନେତାଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଉଛି।

କୁହାଯାଉଛି ଯେ ମେଣ୍ଟକୁ ନେଇ କଂଗ୍ରେସ ଚୁପ୍ ବସିଥିବାରୁ ଆଞ୍ଚଳିକ ଦଳମାନେ କ୍ଷୁବ୍ଧ ଅଛନ୍ତି। ଡିସେମ୍ବର ୩୧ ସୁଦ୍ଧା ମେଣ୍ଟ ଚୂଡ଼ାନ୍ତ ହେବା ଉଚିତ ବୋଲି ମମତା ବାନାର୍ଜୀ ପୂର୍ବରୁ କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସ ସହ ତାଙ୍କର କୌଣସି ଆଲୋଚନା ହୋଇନାହିଁ।

ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଡିସେମ୍ବର ୩୧ ସୁଦ୍ଧା ଏହା କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କଂଗ୍ରେସ ଦଳର କମିଟିର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ମେଣ୍ଟର ସଂଯୋଜକ ପଦକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ଏହାକୁ ନେଇ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଣି ଇତି ମଧ୍ୟରେ କଂଗ୍ରେସ ନିଜେ ନିଜେ ଆସନ ଭାଗବଣ୍ଟା ଚୂଡ଼ାନ୍ତ କରିନେଇଛି ଓ ଏହାକୁ ନେଇ ସହଯୋଗୀ ଦଳମାନେ କ୍ଷୁବଧ ଅଛନ୍ତି ।

Leave a Reply

Your email address will not be published. Required fields are marked *