କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଦୁର୍ବ୍ଯବହାର ଘଟଣାଏଏସଆଇ ଅଣ କର୍ମଚାରୀ ଓ ସ୍ଥାନୀୟ ଅଧିକାରୀ ଦ୍ବୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିଶ୍ରୁତିଥାନା ସମ୍ମୁଖରେ ଚାଲିଥିବା ଧାରଣା ସାମୟିକ ଭାବେ ସ୍ଥଗିତ।
କୋଣାର୍କ – ଗତ ୨୦୨୩ ଡିସେମ୍ବର ୩୧ ରବିବାର ସୂର୍ଯ୍ୟ ମନ୍ଦିର ପରିସରରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ଏଏସଆଇ ଅଧିକାରୀଙ୍କ ଇଙ୍ଗିତରେ ଜଣେ ଅଣ କର୍ମଚାରୀ ଦୁର୍ବ୍ଯବହାର କରିବା ଘଟଣାରେ କୋଣାର୍କ ଅଞ୍ଚଳର ସାମ୍ବାଦିକ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଗତ ୧ତାରିଖ ଠାରୁ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ ଦାବିରେ କୋଣାର୍କ ଥାନା ସମ୍ମୁଖରେ ଚାଲିଥିବା ଧାରଣା ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ ନେଇ ପ୍ରତିଶ୍ରୁତି ପରେ ଧାରଣା ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଗତ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ସମୟରେ ଦୁଇଜଣ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ କରୁଥିବା ବେଳେ ସ୍ଥାନୀୟ ଏଏସଆଇ ଅଧିକାରୀ ଦେବେନ୍ଦ୍ର କୁମାରଙ୍କ ଇଙ୍ଗିତରେ ଅଣ କର୍ମଚାରୀ ଦୀପକ କୁମାର ନାମକ ଜଣେ ଯୁବକ ସେମାନଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ କରିବା ସହିତ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରି ମିଡିଆ ବୁମ ଗୁଡିକୁ ଠେଲି ଦେବା ଘଟଣାରେ କୋଣାର୍କ ଥାନାରେ ନିଉଜ୭ ପ୍ରତିନିଧି ମିଲନ କୁମାର ମହାନ୍ତିଙ୍କ ସମେତ କୋଣାର୍କ ଅଞ୍ଚଳର ସାମ୍ବାଦିକ ମାନଙ୍କ ପକ୍ଷରୁ ଥାନା ଲିଖିତ ଅଭିଯୋଗ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ଥାନାରେ ଏତଲା ଦେବାର ଦୀର୍ଘ ୯ଘଣ୍ଟା ପରେ ପୋଲିସ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମାମଲା ରୁଜୁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା। ଏହି ଘଟଣାକୁ ନେଇ କୋଣାର୍କ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯିବା ପରେ ନିମାପଡ଼ା ଡିଏସପି ବିଳମ୍ବରେ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିବାରେ ପୋଲିସ ପକ୍ଷପାତିତା ନୀତି ଆପଣାଇବା ଯୋଗୁଁ ଗତ ୧ତାରିଖ ଠାରୁ କୋଣାର୍କ ଥାନା ସମ୍ମୁଖରେ ଅଭିଯୁକ୍ତ ଦ୍ବୟଙ୍କ ଗିରଫ ଦାବିରେ ଧାରଣା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ପୂର୍ବାହ୍ନ ସମୟରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଂପାଦକ ବିଶ୍ବଜିତ ପଟ୍ଟନାୟକ, ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଓଟିଭି ପ୍ରତିନିଧି ସଂଜୟ ପତି ଓ ନିଉଜ୭ ପ୍ରତିନିଧି ମିଲନ ମହାନ୍ତି ପ୍ରମୁଖ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସାମ୍ବାଦିକ ମାନଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ରଖିଥିଲେ। ଏହି ଘଟଣାକୁ ଗୁରୁତ୍ବ ଆରୋପ କରି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିନିଧି ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ କନଓ୍ବାର ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି ଅପରାହ୍ନ ସମୟରେ ଧାରଣା ଦେଇଥିବା ସାମ୍ବାଦିକ ମାନଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ। ଆସନ୍ତା ୭ଦିନ ମଧ୍ୟରେ ଏହି ସମ୍ବେଦନଶୀଳ ଘଟଣାର ନିଜେ ଉପଯୁକ୍ତ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି ପ୍ରତିଶୃତି ଦେବା ପରେ ଗତ ୧ତାରିଖ ଠାରୁ କୋଣାର୍କ ଥାନା ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ସାମୟିକ ଭାବେ ସ୍ଥଗିତ ରଖାଯାଇଛି।ଏହି ଧାରଣାରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଂପାଦକ ବିଶ୍ବଜିତ ପଟ୍ଟନାୟକ, ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସାମ୍ବାଦିକ ସଂଜୟ ପତି, ଭାଗୀରଥୀ ସ୍ଵାଇଁ, ମାନସ ରଞ୍ଜନ ପାତ୍ର, ପ୍ରତାପ କୁମାର କାଣ୍ଡି, ମିଲନ କୁମାର ମହାନ୍ତି, ଧନଞ୍ଜୟ ବେହେରା, ଅବନୀ ଭୂଷଣ ବାରିକ, ବିଚିତ୍ର ଓଝା, ଅଜିତ କୁମାର ମଲ୍ଲିକ, ଜ୍ଯୋତିରାଜ ମହାନ୍ତି,ପ୍ରକାଶ କାଣ୍ଡି, ମନୋରଞ୍ଜନ ପଣ୍ଡା, ସୁକାନ୍ତ କୁମାର ବିଶ୍ବାଳ, ଆଶିଷ ମିଶ୍ର, ପ୍ରମୋଦ କୁମାର ଗୋଛାୟତ, ଗୋପବନ୍ଧୁ ପତି, ସ୍ବାଧୀନ ନାୟକ, ଗଣେଶ ଚନ୍ଦ୍ର ବେହେରାଙ୍କ ସମେତ ଗୋପ, କାକଟପୁର ଓ ନିମାପଡା ଅଂଚଳର ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ଧାରଣାକୁ ସମର୍ଥନ ଦେଇଥିବା ରାଜନୈତିକ ଦଳ କଂଗ୍ରେସ, ଭାଜପା, ସିପିଆଇର ପ୍ରତିନିଧି, ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର କର୍ମକର୍ତ୍ତା, କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତା ସମେତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।