ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ସଂଘ
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନୂଆ ଆଇନ ‘ହିଟ୍ ଆଣ୍ଡ ରନ୍’ ନିଷ୍ପତ୍ତିକୁ ଓଡ଼ିଶା ସମେତ ପୂରା ଭାରତରେ ଡ୍ରାଇଭର ମହାସଂଘ ବିରୋଧ କରିଛି। କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଆହୁରି କେତେଦିନ ଯାଏଁ ଜାରି ରହିବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। ତେବେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ରାଜ୍ୟ ଡ୍ରାଇଭର ସଂଘ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛି। ଏନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ୨ଟି ଦାବି ପୂରଣ କରିଛନ୍ତି।ଆନ୍ଦୋଳନରୁ ଓହରିବା ପାଇଁ ରାଜ୍ୟ ଡ୍ରାଇଭର ମହାସଂଘ ଆହ୍ୱାନ ଦେଇଛି। ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି। ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିଛନ୍ତି। ନୂଆ ଆଇନ ‘ହିଟ୍ ଆଣ୍ଡ ରନ୍’ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର। କେନ୍ଦ୍ର ସରକାର ଆଣିଥିବା ଆଇନ୍ ସଂପର୍କରେ ଆନ୍ଦୋଳନ ହେବ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଯେହେତୁ ଅନ୍ୟ ରାଜ୍ୟରେ ଆନ୍ଦୋଳନ ବନ୍ଦ ରହିଛି। କେନ୍ଦ୍ରର ଆଇନ୍ ବିରୋଧରେ କେବଳ ଓଡ଼ିଶା ଓ ପଂଜାବରେ ଆନ୍ଦୋଳନ ଜାରି ରହିଲେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।