ପୁରୀ ପୌରାଞ୍ଚଳରେ ପରିକ୍ରମଣ କଲାଜୟ ଜଗନ୍ନାଥ ଅର୍ପଣ ରଥ।ଭାବାବେଗର ସହ ଶ୍ରଦ୍ଧାଳୁ ଅର୍ପଣ କଲେ ଅକ୍ଷତ ଓ ଗୁଆ।
ପୁରୀ ୮/୧ ସ୍ଥାନ ଥିଲା ଶରଧାବାଲିର ନୃସିଂହ ମନ୍ଦିର।ପ୍ରସ୍ତୁତ ଥିଲା ସୁସଜ୍ଜିତ ଜୟ ଜଗନ୍ନାଥ ଅର୍ପଣ ରଥ।ଅର୍ପଣ ରଥକୁ ଘେରି ରହିଥିଲେ ଶ୍ରଦ୍ଧାଳୁ ମାନେ।ହୁଳହୁଳି, ଶଙ୍ଖ ଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇଉଠୁଥିଲା ସମଗ୍ର ପରିବେଶ।ଉପସ୍ଥିତ ଙ୍କ ନୟନ ଥିଲା ଭାବାବେଗ ରେ ଓଦା ଓଦା।ନିଜର ଅତି ପ୍ରିୟ ପ୍ରଭୁ, ଭାବର ଠାକୁର ଶ୍ରୀଜଗନ୍ନାଥ ଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉଦ୍ଦେଶ୍ୟ ରେ ମା ମାନେ, ଶ୍ରଦ୍ଧାଳୁ ମାନେ ସ୍ୱତଃ ପୂତଃ ଭାବେ ଅର୍ପଣ କରୁଥିଲେ ଅରୁଆ ଚାଉଳ, ଗୁଆ।କରୁଥିଲେ ଭକ୍ତିପୂତ ପ୍ରଣାମ। ଆଜି ଠାରୁ ପୁରୀ ପୌରାଞ୍ଚଳରେ ଗଡିଛି ଜୟ ଜଗନ୍ନାଥ ଅର୍ପଣ ରଥ।ଶରଧାବାଲି ସ୍ଥିତ ନୃସିଂହ ମନ୍ଦିର ଠାରୁ ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଓ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଙ୍କ ଉପସ୍ଥିତି ରେ ବିଭିନ୍ନ ୱାର୍ଡକୁ ପ୍ରେରଣ କରାଯାଇଥିଲା।ଆଜି ପ୍ରଥମ ଦିବସରେ ୧ ଓ ୨ ନମ୍ବର ଏବଂ ୧୬ ଓ ୧୭ ନମ୍ବର ୱାର୍ଡ କୁ ଏହି ରଥ ପ୍ରେରଣ କରାଯାଇଥିଲା।ରଥ ପହଞ୍ଚିବା ପ୍ରତି ୱାର୍ଡ ରେ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ସଂକୀର୍ତ୍ତନ ଦଳ ଏହି ରଥକୁ ଆଗେଇ ନେବା ବେଳେ ଏକ ଦିବ୍ୟ ଅନୁଭବର ସ୍ରୋତ ସମସ୍ତଙ୍କ ମଧ୍ୟରେ ପ୍ରବାହିତ ହେଉଥିଲା ଯେମିତି।ଏପରିକି ରାସ୍ତାରେ ଯାଉଥିବା ଲୋକ ମାନେ ମଧ୍ୟ ଦଣ୍ଡେ ଅଟକି ଯାଇ ଅର୍ପଣ ରଥକୁ ଛୁଇଁ ବାକୁ ବ୍ୟଗ୍ରତା ଦେଖାଉଥିଲେ। ପ୍ରତି ଘରୁ ଅରୁଆ ଚାଉଳ, ଗୁଆ ପ୍ରଦାନ ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମ ରେ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅନ୍ୟାନ୍ୟ ପୌର କର୍ମଚାରୀ, ମିଶନ ଶକ୍ତି ର ମା ମାନେ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ।