ଅଯୋଧ୍ୟା: ସୁରକ୍ଷା ପାଇଁ ମୁତୟନ କରାଯିବ ଡ୍ରୋନ୍, ୧୦ ହଜାର ସିସିଟିଭି
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ପୂଜାର୍ଚ୍ଚନା ସମାରୋହ ଦିନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତରପ୍ରଦେଶ ପୁଲିସ ଡ୍ରୋନ୍ ଏବଂ ୧୦ ହଜାରରୁ ଅଧିକ ସିସିଟିଭି କ୍ୟାମେରା ମୁତୟନ କରିବ। ଆଖପାଖ ଅଞ୍ଚଳରେ ଯେ କୌଣସି ପ୍ରକାର ଅନଧିକୃତ ଡ୍ରୋନକୁ ନିୟନ୍ତ୍ରଣ କରିବା ପାଇଁ ଅଯୋଧ୍ୟାରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ମଧ୍ୟ ଲଗାଯାଇଛି ବୋଲି ଏସପି (ସୁରକ୍ଷା) ଗୌରବ ବଂସୱାଲ କହିଛନ୍ତି।ଉତ୍ତରପ୍ରଦେଶର ଡିଜି (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ ଅଯୋଧ୍ୟା ଜିଲ୍ଲାରେ ୧୦ ହଜାରରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାବ୍ୟତୀତ ପୁଲିସ ବାହିନୀକୁ ସାହାଯ୍ୟ କରିବା ପାଇଁ ଅତ୍ୟାଧୁନିକ ବୈଷୟିକ ଉପକରଣ ମଧ୍ୟ ନିୟୋଜିତ କରାଯାଇଛି। ଏହି ବ୍ୟବସ୍ଥା ସାହାଯ୍ୟରେ ଯେକୌଣସି ଅନଧିକୃତ ଡ୍ରୋନକୁ ନିୟନ୍ତ୍ରଣ କରିବା ସହଜ ହେବ ବୋଲି ସେ କହିଛନ୍ତି।
ଡିଜି କହିଛନ୍ତି ଯେ ମନ୍ଦିର ସହରକୁ ଯାଉଥିବା ରାସ୍ତାଗୁଡ଼ିକୁ ସାନିଟାଇଜ୍ କରାଯାଉଛି ଏବଂ ଜବରଦଖଲ ମୁକ୍ତ କରାଯାଉଛି। ଜାନୁଆରି ୧୭ କିମ୍ବା ୧୮ ତାରିଖରୁ ଭାରୀ ଯାନକୁ ଡାଇଭର୍ଟ କରାଯିବ ଏବଂ ଏଥିପାଇଁ ସମୟ ସମୟରେ ଟ୍ରାଫିକ ଆଡଭାଇଜରି ଜାରି କରାଯିବ।
ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ଏବଂ ନିରନ୍ତର ପୁଲିସ ମୁତୟନ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ଅଯୋଧ୍ୟା ଓ ପଡ଼ୋଶୀ ଜିଲ୍ଲାର ଲୋକଙ୍କ ସମନ୍ଵୟରେ ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡିଜି କହିଛନ୍ତି। ସୁରକ୍ଷା ପାଇଁ ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା ସ୍ଥାପନ କରାଯାଉଛି ଏବଂ ଏହା ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ ହେବ ବୋଲି ଏସପି ବଂସୱାଲ କହିଛନ୍ତି।