ବିବିସିର ଦିଲ୍ଳୀ ଓ ମୁମ୍ବାଇ ଅଫିସ୍ରେ ଆଇଟି ଚଢ଼ାଉ, କର୍ମଚାରୀଙ୍କ ଫୋନ୍ ରଖି ଘରକୁ ଯିବାକୁ କହିଲେ ଅଧିକାରୀ
ନୂଆଦିଲ୍ଳୀ: ସୋମବାର ଆୟକର ବିଭାଗ (ଆଇଟି)ର ଅଧିକାରୀମାନଙ୍କ ଦଳ ବିବିସି ଇଣ୍ଡିଆର ଦିଲ୍ଳୀ ଓ ମୁମ୍ବାଇରେ ଥିବା ଅଫିସ୍ରେ ସର୍ଭେ ଅପରେସନ ଆରମ୍ଭ କରିଛନ୍ତି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଧିକାରୀମାନେ ଚଢ଼ାଉ ସମୟରେ କର୍ମଚାରୀଙ୍କ ମୋବାଇଲ୍କୁ ଜବତ କରିବା ସହ ସେମାନଙ୍କୁ ଘରକୁ ପଠାଇ ଦେଇଛନ୍ତି।
ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଟ୍ବିଟ୍ରେ ଏକ ଭିଡିଓ ପୋଷ୍ଟ୍ କରିଛି। ଭିଡିଓରେ ଏଆଇସିସିର ସାଧାରଣ ସଂପାଦକ ଜୟରାମ ରମେଶ କହୁଥିବାର ନଜର ଆସିଛନ୍ତି କି, ‘ଆମେ ଏଠାରେ ଆଦାନୀ ମାମଲାରେ ଜେପିସିର ଦାବି କରୁଛି ସେଠାରେ ସରକାର ବିବିସି ପଛରେ ପଡ଼ିଛନ୍ତି। ବିନାଶ କାଳେ ବିପରୀତ ବୁଦ୍ଧି।’ସେହିପରି କଂଗ୍ରେସ ନେତା ଗୌରଭ ଗୋଗୋଇ ଏବଂ ତ୍ରୁଣ ମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଆୟକର ବିଭାଗର ଏହି ଅପରେସନକୁ ନିନ୍ଦା କରିଛନ୍ତି। ମହୁଆ ମୈତ୍ର ତାଙ୍କ ଟ୍ବିଟ୍ ପୋଷ୍ଟ୍ରେ ଲେଖିଛନ୍ତି, ‘ବିବିସି ଦିଲ୍ଲୀ ଅଫିସ୍ରେ ଆୟକର ବିଭାଗର ଏହି ରିପୋର୍ଟକୁ ଆଶା କରାଯାଇନଥିଲା।’