ଗର୍ଭଗୃହରେ ପ୍ରତିଷ୍ଠା ହେବ ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି, ପୁରୁଣା ମୂର୍ତ୍ତି ମଧ୍ୟ ରହିବ
ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଗର୍ଭଗୃହ ପାଇଁ କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ମୂର୍ତ୍ତି ଚୟନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ତିନିଜଣ ଶିଳ୍ପୀଙ୍କ ଦ୍ବାରା ମୂର୍ତ୍ତି ନିର୍ମାଣ କରାଯାଇଥିଲା, କିନ୍ତୁ ତାହା ମଧ୍ୟରୁ ଅରୁଣଙ୍କ ମୂର୍ତ୍ତି ଚୟନ କରାଯାଇଛି ଚମ୍ପତ ରାୟ କହିଛନ୍ତି ଯେ ଅରୁଣ ଯୋଗୀରାଜ କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି, ଇଣ୍ଡିଆ ଗେଟ୍ ରେ ସୁଭାଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଅଯୋଧ୍ୟାରେ ରାମଲଲ୍ଲାଙ୍କ ମୂର୍ତ୍ତି ସେ ଅତ୍ୟନ୍ତ ଏକାଗ୍ରଚିତ୍ତ ହୋଇ ନିର୍ମାଣ କରିଥିଲେ । ଏପରି କି ସପ୍ତାହ ସପ୍ତାହ ଧରି ସେ ମୋବାଇଲ ଫୋନ ଧରୁନଥିଲେ ଓ ନିଜ ପରିବାର ସହ କଥା ହେଉନଥିଲେ ।
ମନ୍ଦିରରେ ଯେଉଁ ମୂର୍ତ୍ତି ସ୍ଥାପନ କରାଯିବ ତାହା ଭଗବାନ ରାମଙ୍କ ୫ ବର୍ଷ ବୟସର ବୋଲି ସେ କହିଛନ୍ତି। ରାମ ମନ୍ଦିର ପାଇଁ ତିନି ଜଣ ମୂର୍ତ୍ତିଶିଳ୍ପୀ ରାମଲାଲାଙ୍କ ମୂର୍ତ୍ତି ତିଆରି କରିଥିଲେ। ସେଥିମଧ୍ୟରୁ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି।
ଚମ୍ପତ ରାୟ ଏହା ମଧ୍ୟ କହିଛନ୍ତି ଯେ ଗତ ପ୍ରାୟ ୭୦ ବର୍ଷ ହେଲା ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ରାମଲଲ୍ଲାଙ୍କ ବିଗ୍ରହ ମଧ୍ୟ ଗର୍ଭଗୃହରେ ସ୍ଥାନ ପାଇବ ।