ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।
ନାମ ସଂକୀର୍ତ୍ତନ ରେ ପ୍ରକମ୍ପିତ ହେଲା ଶ୍ରୀକ୍ଷେତ୍ର।
ଶ୍ରୀଗଜପତି ମହାରାଜାଙ୍କ ଦ୍ଵାରା ଯଜ୍ଞ ପୂର୍ଣ୍ଣାହୁତି ଓ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଫଳକ ଉନ୍ମୋଚିତ।
ପୁରୀ ୧୭/୧ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଆଜି ଲୋକାର୍ପଣ ହୋଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଙ୍କ ଉପସ୍ଥିତ ରେ ଏହି ପ୍ରକଳ୍ପ କୁ ଲୋକାର୍ପିତ କରିଥିଲେ।
ଆଜି ପ୍ରତ୍ୟୁଷରୁ ଯଜ୍ଞଶାଳା ରେ ସୂର୍ଯ୍ୟ ପୂଜା, ଧରିତ୍ରୀ ପୂଜା,ଗୋପୂଜା,ପଞ୍ଚକର୍ମ,ବାସ୍ତୁ ଶୋଧନ,ଅଧିବାସ,ହବନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।ଶ୍ରୀମନ୍ଦିର ଚାରି ଦ୍ଵାରରେ ବେଦପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ କ୍ଷେତ୍ରରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ନାମ ସଂକୀର୍ତ୍ତନ ରେ ବିଭିନ୍ନ ଅଞ୍ଚଳର ଶହଶହ କଳାକାର ଅଂଶଗ୍ରହଣ କରି ସମଗ୍ର ଅଞ୍ଚଳ କୁ ଭାବ ଓ ଭକ୍ତି ମୟ କରି ଦେଇଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ଫଳକ ଉନ୍ମୋଚନ ପରେ ଗଜପତି ମହାରାଜ ଙ୍କ ଦ୍ବାରା ପୂର୍ଣ୍ଣାହୁତି,ଆରତୀ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ପରେ ଅନ୍ତଃ ପ୍ରଦକ୍ଷିଣ କ୍ଷେତ୍ରରେ ନାମ ସଂକୀର୍ତ୍ତନ ସହ ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜ,ସାଧୁ, ସନ୍ଥ,ମନ୍ତ୍ରୀ ,ସାଂସଦ ଓ ବିଧାୟକ ୫ ଟି ଅଧ୍ୟକ୍ଷ,,ଆମନ୍ତ୍ରିତ ଅତିଥି,ମୁଖ୍ୟ ଶାସନ ସଚିବ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟିର ସଦସ୍ୟ,ବରିଷ୍ଠ ପ୍ରଶାସନିକ ଅଧିକାରୀ, ସେବାୟତ, ପୂଜକ ଓ ଅନ୍ୟାନ୍ୟ ସମ୍ମାନସ୍ପଦ ବ୍ୟକ୍ତି ମାନେ ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ କରିଥିଲେ।ପରେ ମୁଖ୍ୟମନ୍ତ୍ରୀ ସେବା ଓ ସମର୍ପଣ କାର୍ଯ୍ୟ ପାଇଁ ପଟ୍ଟଚିତ୍ର ଶିଳ୍ପୀ ୟୁନିଭର୍ସ ମହାରଣା, ନିର୍ମାଣ ଶ୍ରମିକ ଲକ୍ଷ୍ମୀ ପ୍ରଧାନ, ମାଳୀ ରାଜୁ ଭୋଇ,ଜେସିବି ଅପରେଟର ପ୍ରକାଶ ପ୍ରଧାନ, ପ୍ରସ୍ତର ଖୋଦେଇ ମିସ୍ତ୍ରୀ କୀର୍ତ୍ତନ ମହାରଣା, ରବୀନ୍ଦ୍ର ଗୌଡ, ରାଜ ମିସ୍ତ୍ରୀ କବିରାଜ ରାଉତ, ରାଜ ପେଣ୍ଠେଇ, ସହାୟକ ସୁକାନ୍ତ ପ୍ରଧାନ, ବିଭୂ ରାଉତ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।ବେଦ ପାଠ ମଧ୍ୟରେ ଅତିଥି ମାନେ ସଭା ଗୃହରେ ପ୍ରଵେଶ କରିଥିଲେ।ପରିଚାଳନା କମିଟି ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନଙ୍କୁ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ଲାଗି ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ।
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ,, ବାଚସ୍ପତି ପ୍ରମିଳା ମଲ୍ଲିକ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ,୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ,ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ କୁ ମୃତ୍ୟୁଞ୍ଜୟ ରଥ ଓ ସୁଚେତା ପ୍ରିୟଦର୍ଶନୀ ସଂଚାଳନ କରିଥିଲେ।କାର୍ଯ୍ୟକ୍ରମ ରେ ସାଂସଦ, ବିଧାୟକ, ନ୍ୟାୟାଧୀଶ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ,ପରିଚାଳନା କମିଟିର ସଦସ୍ୟ, ଆମନ୍ତ୍ରିତ ସାଧୁ ସନ୍ଥ ,ଅତିଥି ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ, ସେବାୟତ, ପୂଜକ,ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଏସ ପି ଡା କନୱର ବିଶାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ। ସକାଳୁ ଯଜ୍ଞ ଆରମ୍ଭ ସମୟରେ ସାମାନ୍ୟ ବର୍ଷା ହେବାରୁ ଯଜ୍ଞ ବିତ ମାନେ ଏହା ଏକ ଶୁଭ ଲକ୍ଷଣ ଓ ଇଶ୍ଵର ଙ୍କ ଆଶୀର୍ବାଦ ବୋଲି ମତ ଦେଇଥିଲେ।ଲକ୍ଷ ଲକ୍ଷ ଭକ୍ତ ଏହାକୁ ପ୍ରତ୍ୟକ୍ଷ କରିଥିଲେ।ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଓ ବିଭିନ୍ନ ସାହି ଆଖଡା ସେମାନଙ୍କ ପାରମ୍ପରିକ ଲୋକ କଳା ପ୍ରଦର୍ଶନ ପୂର୍ବକ ଶ୍ରୀମନ୍ଦିର ଚାରିପାଖ ପରିକ୍ରମା କରିଥିଲେ।