୨ ଥର ମୁଖ୍ୟମନ୍ତ୍ରୀ ହୋଇ ବି ଘର ଖଣ୍ଡେ କରିପାରିନଥିଲେ କର୍ପୂରୀ ଠାକୁର
ନୂଆଦିଲ୍ଲୀ: ଦୁଇ ଥର ମୁଖ୍ୟମନ୍ତ୍ରୀ ତଥା ବିହାରର ଦ୍ବିତୀୟ ଉପମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି ।
କର୍ପୂରୀଙ୍କ ପରିଚୟ ଥିଲା ତାଙ୍କର ସରଳ ଓ ନିରାଡ଼ମ୍ବର ଜୀବନଯାପନ। ତାଙ୍କ ସରଳତାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା ।
ଆଜିକାଲି ଥରେ ବିଧାୟକ ହୋଇ ବି କୋଟି କୋଟି ଟଙ୍କାର ମାଲିକ ପାଲଟିଯାଉଛନ୍ତି ଲୋକେ । ସହର ଗୁଡ଼ିକ ସେମାନଙ୍କର ବାସସ୍ଥଳୀ ପାଲଟିଯାଏ ଓ ଗାଁକୁ ଭୁଲଯାଆନ୍ତି । କିନ୍ତୁ କର୍ପୁରି ଠାକୁର ଏପରି ଲୋକଙ୍କଠାରୁ ଭିନ୍ନ ଥିଲେ। ସେ ସମାଜବାଦକୁ ନିଜ ଜୀବନରେ ପରିଚିତ କରାଇଥିଲେ । ଜୀବନ ସାରା ସେ ରାଜନୀତିର ଉଚ୍ଚ ମାନଦଣ୍ଡ ବଜାୟ ରଖିଥିଲେ। ଯେଉଁଥିରେ ଜନସାଧାରଣଙ୍କ ପ୍ରତି ସଚ୍ଚୋଟତା ଓ ଉତ୍ତରଦାୟିତ୍ୱକୁ ସେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ତାଙ୍କର ସରଳତା ଏପରି ଥିଲା ଯେ ସେ କେବେ ବି ନିଜ ଗାଁ ଘର ନିର୍ମାଣ କରିନଥିଲେ । ୧୯୮୮ ମସିହା ଫେବ୍ରୁଆରି ୧୭ ତାରିଖରେ କର୍ପୂରିଙ୍କ ଦେହାନ୍ତ ହେବା ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣା ତାଙ୍କ ଗାଁକୁ ଆସିଥିଲେ। ହେମବତୀ ନନ୍ଦନ ବହୁଗୁଣା ସମସ୍ତିପୁରର ପିଟୁଞ୍ଜିଆ ଗାଁରେ ପହଞ୍ଚିବା ପରେ ଘରର ଅବସ୍ଥା ଦେଖିଥିଲେ। ତାଙ୍କ ଆଖିରୁ ଲୁହ ଝରୁଥିଲା। କହିଥିଲେ, ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବ୍ୟକ୍ତି ମଧ୍ୟ ତାଙ୍କ ପିଲାଙ୍କ ପାଇଁ ଘର ଖଣ୍ଡେ ନିର୍ମାଣ କରିନାହାନ୍ତି।