ଆଜିର ପିଲାମାନେ ହେବେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସୂତ୍ରଧର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି, ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଏବେ ଓଡ଼ିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣ ର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ। ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି। ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫ଟିର ଗୁରୁତ୍ଵ ବୁଝାଇ ଥିଲେ। ସେ କହିଥିଲେ ଯେ ପିଲାମାନେ ନିଜ ଜୀବନରେ ଏହାକୁ ପ୍ରୟୋଗ କଲେ ନିଶ୍ଚୟ ସଫଳ ହେବେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ୫ଟି ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ। ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି। ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି।