ମୁମ୍ବାଇର ରାମ ମନ୍ଦିର ଅଂଚଳରେ ଥିବା ରାସାୟନିକ କାରଖାନାରେ ନିଆଁ
ମୁମ୍ବାଇ: ମୁମ୍ବାଇର ରାମ ମନ୍ଦିର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ରାମ ମନ୍ଦିର ଅଞ୍ଚଳରେ ଥିବା ଅସମି ଇଣ୍ଡଷ୍ଟ୍ରିଆଲ କଂପ୍ଲେକ୍ସରେ ରଖାଯାଇଥିବା ରାସାୟନିକ ଡ୍ରମରେ ନିଆଁ ଲାଗିବାରୁ କ୍ରମାଗତ ଭାବେ ବିସ୍ଫୋରଣ ହେଉଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକମାନେ ଆତଙ୍କିତ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିବା ସହ ଯାତାୟତ ବନ୍ଦ ରହିଛି। ନିକଟରେ ଥିବା ଏକ ଫ୍ଲାଏ ଓଭରକୁ ବି ବନ୍ଦ କରିଦିଆଯାଇଛି । ଏହି ଅଗ୍ନିକାଣ୍ଡରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ ।ସେହିପରି, ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଥିବା ଏକ ଉଚ୍ଚ ବହୁତଳ କୋଠାରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବିଲ୍ଡିଂରୁ ଲମ୍ବା ନିଆଁ ବାହାରୁଛି ଏବଂ ଉପର ମହଲାରେ ଥିବା କୋଠାରୁ କଳା ଧୂଆଁ ବାହାରୁଛି। ଗୋରେଗାଓଁ ପଶ୍ଚିମର ମହେଶ ନଗରର ଗୋବିନ୍ଦ ଜୀ ଶ୍ରଫ ମାର୍ଗରେ ଥିବା ଅନମୋଲ ପ୍ରାଇଡରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗ ର ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ କୋଠାର ୨୬ ତମ ମହଲା ଏବଂ ୨୭ ମହଲା କୋଠାରେ ସୀମିତ ରହିଛି । ‘ଲେଭଲ-୨’ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।