କବି ସୂର୍ଯ୍ୟମଣି ବିଶ୍ଵାଳଙ୍କ ସ୍ମୃତି ସମାରୋହ
ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଉ
ଭଦ୍ରକ,୨୪/୧-ସମାଜରେ ଏବେ ସାଂସ୍କୃତିକ ଅବକ୍ଷୟ କାରଣରୁ ସାହିତ୍ୟ ମଧ୍ୟ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛି। ଏଥି ପ୍ରତି ସମସ୍ତେ ସଚେତନ ହେଲେ ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଇ ପାରିବ।ମାତ୍ର ଏଥିପାଇଁ କବି ସୂର୍ଯ୍ୟମଣି ବିଶ୍ବାଳଙ୍କ ପରି ଜଣେ ସାହିତ୍ୟ ସଂଗଠକଙ୍କର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ଆଜି ଭଦ୍ରକର ସଂସ୍କୃତି ଭବନଠାରେ କବି ସୂର୍ଯ୍ୟମଣି ବିଶ୍ଵାଳଙ୍କ ବାର୍ଷିକ ସ୍ମୃତି ସମାରୋହ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ରାମ ସାର୍ ସଂପାଦକୀୟ ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ,କଥାଶିଳ୍ପୀ ତଥା ‘ସମାରୋହ’ ମାସିକ ପତ୍ରିକାର ପରିଚାଳନା ସମ୍ପାଦକ ଶ୍ରୀ ରବି ନନ୍ଦ ଯୋଗଦେଇ କହିଥିଲେ ଯେ ସାହିତ୍ୟକୁ ଅଯଥା ନିୟନ୍ତ୍ରଣ କରାଯିବା ଅନୁଚିତ୍। ସମ୍ମାନିତ ଅତିଥି ଭାବେ ସ୍ବାମୀ ଭକ୍ତିବଲ୍ଲଭ୍ ଆଚାର୍ଯ୍ୟ ସାହିତ୍ୟ ଓ ଆଧ୍ୟାତ୍ମିକତା ସମ୍ପର୍କରେ ସୂଚନା ଦେଇଥିଲେ।ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିଥିଲେ ଯେ ଶାନ୍ତିର ସନ୍ଧାନ ପାଇଁ ମନୁଷ୍ୟର ରୁଚି ମୋବାଇଲ ଆଡ଼କୁ ନଯାଇ ସାହିତ୍ୟ ଆଡ଼କୁ ମୁହାଁଇବା ଉଚିତ୍।ମୁଖ୍ୟବକ୍ତା ସାହିତ୍ୟିକ ଡଃ ସର୍ବେଶ୍ଵର ସେଣ କହିଥିଲେ ଯେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଭଦ୍ରକ ମାଟିର ଅବଦାନର ତୁଳନା ନାହିଁ।ବିଶିଷ୍ଟ ସମାଜସେବୀ ପଞ୍ଚାନନ ରାଉତ ସାହିତ୍ୟ ସଂଗଠନକୁ ସୁଦୃଢ କରାଯିବାକୁ ଆହ୍ବାନ ଦେଇଥିଲେ।ବିଶିଷ୍ଟ ଅତିଥି,କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୌତ୍ର ଗୁରୁ କଲ୍ୟାଣ ମହାପାତ୍ର କହିଲେ ଯେ ସାହିତ୍ୟ ସୃଷ୍ଟିରେ ଯେଉଁ ଅନ୍ତର୍ନିହିତ ଆନନ୍ଦ ଥାଏ,ପୁରସ୍କାର ପ୍ରାପ୍ତିରେ ସେହି ଆନନ୍ଦ ପ୍ରାୟ ନ ଥାଏ।