ସର୍ବୋଚ୍ଚ ନ୍ୟାୟାଳୟ ଭାରତର ଜୀବନ୍ତ ଗଣତନ୍ତ୍ରକୁ ସୁଦୃଢ଼ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସର୍ବୋଚ୍ଚ ନ୍ୟାୟାଳୟ ଅଡିଟୋରିୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ସେ ନାଗରିକ-କୈନ୍ଦ୍ରିକ ସୂଚନା ଓ ପ୍ରଯୁକ୍ତି ସମ୍ବନ୍ଧୀୟ ପଦକ୍ଷେପ, ଯଥା : ଡିଜିଟାଲ୍ ସୁପ୍ରିମ୍ କୋର୍ଟ ରିପୋର୍ଟ (ଡିଜି ଏସ୍ସିଆର୍), ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍ କୋର୍ଟର ଏକ ନୂଆ ୱେବସାଇଟ୍ର ଶୁଭାରମ୍ଭ କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହାର ୭୫ତମ ବର୍ଷ ଆରମ୍ଭ କରୁଥିବା ବେଳେ ଉପସ୍ଥିତ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଦୁଇ ଦିନ ତଳେ ଭାରତୀୟ ସମ୍ବିଧାନ ୭୫ତମ ବର୍ଷରେ ପ୍ରବେଶ କରିଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସମ୍ବିଧାନ ନିର୍ମାତାମାନେ ସ୍ୱାଧୀନତା, ସମାନତା ଏବଂ ନ୍ୟାୟ ଉପରେ ଆଧାରିତ ଏକ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିଛନ୍ତି ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ନୀତିଗୁଡ଼ିକୁ ରକ୍ଷା କରିବାକୁ ନିରନ୍ତର ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଭିବ୍ୟକ୍ତିର ସ୍ୱାଧୀନତା ହେଉ, ବ୍ୟକ୍ତିଗତ ସ୍ୱାଧୀନତା ହେଉ କିମ୍ବା ସାମାଜିକ ନ୍ୟାୟ, ସର୍ବୋଚ୍ଚ ନ୍ୟାୟାଳୟ ଭାରତର ସ୍ଫୁର୍ତ୍ତିଶୀଳ ଗଣତନ୍ତ୍ରକୁ ସୁଦୃଢ଼ କରିଛନ୍ତି। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଅଧିକାର ଏବଂ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ, ଯାହା ଦେଶର ସାମାଜିକ – ରାଜନୈତିକ ପରିବେଶକୁ ଏକ ନୂତନ ଦିଗ ଦେଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ପ୍ରତ୍ୟେକ ଶାଖା ପାଇଁ ଆଗାମୀ ୨୫ ବର୍ଷ ନିମନ୍ତେ ଲକ୍ଷ୍ୟର ମାନଦଣ୍ଡକୁ ଦୋହରାଇ ଥିଲେ ଏବଂ କହିଥିଲେ ଯେ ଆଜିର ଅର୍ଥନୈତିକ ନୀତି ଆସନ୍ତାକାଲିର ସ୍ଫୁର୍ତ୍ତିଶୀଳ ଭାରତର ଆଧାର ହେବ । ଆଜି ଯେଉଁ ଆଇନ ପ୍ରଣୟନ କରାଯାଉଛି , ତାହା ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଭୂ – ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟ୍ଟ ମଧ୍ୟରେ , ବିଶ୍ୱର ନଜର ଭାରତ ଉପରେ ରହିଛି ଏବଂ ଏହାର ବିଶ୍ୱାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମ ମାର୍ଗରେ ଆସୁଥିବା ସମସ୍ତ ସୁଯୋଗର ଲାଭ ଉଠାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ସହଜ ଜୀବନଧାରଣ, ବ୍ୟବସାୟ କରିବାରେ ସହଜତା, ଭ୍ରମଣ, ଯୋଗାଯୋଗ ଏବଂ ନ୍ୟାୟର ସହଜତାକୁ ଦେଶର ସର୍ବୋଚ୍ଚ ପ୍ରାଥମିକତା ବୋଲି ଉଲ୍ଲେଖ କରିଥିଲେ। “ନ୍ୟାୟର ସହଜତା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଅଧିକାର ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହେଉଛନ୍ତି ଏହାର ମାଧ୍ୟମ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି।