ସିମିକୁ ଆଉ ୫ ବର୍ଷ ପାଇଁ ବେଆଇନ ଘୋଷଣା କଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ (ସିମି)କୁ ଆଉ ୫ ବର୍ଷ ପାଇଁ ବେଆଇନ ସଂଗଠନ ଘୋଷଣା କରିଛନ୍ତି । ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ୧୯୬୭ର ଧାରା ୩(୧) ଅନୁଯାୟୀ ଏହି କଟକଣା ଲଗାଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସିମି ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିବାରେ ନିୟୋଜିତ ଅଛି ଯାହା ଭାରତର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ଅଖଣ୍ଡତା ପ୍ରତି ପ୍ରତିକୂଳ ଅଟେ । ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ୧୯୬୭ ସମେତ ଆଇନର ବିଭିନ୍ନ ଧାରା ଅନୁଯାୟୀ ସିମି ଏବଂ ଏହାର ସଦସ୍ୟଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି।
ଶେଷ ଥର ପାଇଁ ୨୦୧୯ ଜାନୁଆରି ୩୧ ତାରିଖରେ ଗେଜେଟ୍ ବିଜ୍ଞପ୍ତି ନଂ ଏସ୍ ଓ ୫୬୪(ଇ) ଜରିଆରେ ସିମି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବିରୋଧରେ ସିମି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ସିମି ଉପରେ ଲଗାଯାଇଥିବା ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଥିଲେ। ସେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଧାରା ୩୭୦ ଉପରେ ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ଆରମ୍ଭ ହେଉଛି, ଏହା ଉପରେ ଶୁଣାଣି ସରିବା ପରେ ଏସବୁ ଉପରେ ବିଚାର କରାଯିବ।