ଜ୍ଞାନବାପି ମସଜିଦର ବେସମେଣ୍ଟରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦେଲେ ଅଦାଲତ
ବାରାଣସୀ: ବାରଣାସୀର ଏକ ଅଦାଲତ ବୁଧବାର ହିନ୍ଦୁ ଭକ୍ତମାନଙ୍କୁ ଜ୍ଞାନବାପି ମସଜିଦର ସିଲ୍ ବେସମେଣ୍ଟ ଭିତରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ହିନ୍ଦୁ ଶ୍ରଦ୍ଧାଳୁମାନେ ଏବେ ବାରଣାସୀର ଜ୍ଞାନବାପି ମସଜିଦ୍ ଭିତରେ ଥିବା ତଥା ସିଲ୍ ହୋଇଥିବା ଅଞ୍ଚଳ ‘ବ୍ୟାସ କା ତେଖାନା’ରେ ପୂଜାପାଠ କରିପାରିବେ।ମାମଲାର ଶୁଣାଣି ବେଳେ କୋର୍ଟ ଜିଲ୍ଲା ପ୍ରଶାସନକୁ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ଜଣେ ପୂଜାରୀ ମନୋନୀତ କରିବାକୁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁ ପକ୍ଷ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଗଣମାଧ୍ୟମକୁ କହିଛନ୍ତି ଯେ ‘ହିନ୍ଦୁ ପକ୍ଷକୁ ବ୍ୟାସ କା ତେଖାନାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଇଛି। ୭ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ଏବେ ସମସ୍ତଙ୍କର ପୂଜା କରିବାର ଅଧିକାର ରହିବ’
ଉଲ୍ଲେଖଯୋଗ୍ୟ, ଚାରି ଜଣ ମହିଳା ଆବେଦନକାରୀ ମସଜିଦର ସିଲ୍ ହୋଇଥିବା ଅଂଶର ଖନନ ଓ ସର୍ଭେ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାର କିଛି ଦିନ ପରେ ବାରଣାସୀ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)ର ରିପୋର୍ଟ ଅନୁଯାୟୀ, ବାରଣାସୀରେ ଜ୍ଞାନବାପି ମସଜିଦ ନିର୍ମାଣ ପୂର୍ବରୁ ଏକ ବୃହତ ହିନ୍ଦୁ ମନ୍ଦିର ଥିବା ଜଣାପଡ଼ିବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଆବେଦନ କରାଯାଇଛି।
ମହିଳାମାନେ ସେମାନଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଶିବଲିଙ୍ଗର ପ୍ରକୃତ ପ୍ରକୃତି ଏହାର ଚାରିପାଖରେ ଥିବା କୃତ୍ରିମ/ଆଧୁନିକ କାନ୍ଥ/ମହଲାକୁ ହଟାଇବା ପରେ ଏବଂ ଖନନ ଏବଂ ଅନ୍ୟ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ସମଗ୍ର ସିଲ୍ ହୋଇଥିବା ଅଞ୍ଚଳର ସର୍ଭେ କରି ନିର୍ଦ୍ଧାରଣ କରାଯାଇ ପାରିବ। ଏଥିପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯିବା ଜରୁରୀ ବୋଲି ଆବେଦନରେ ଦର୍ଶାଯାଇଛି।