ରାଜ୍ୟ

ଓଡ଼ିଶା ଗସ୍ତରେ ୬୮,୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଲୋକାର୍ପଣ, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର/ସମ୍ବଲପୁର: ରାତି ପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରି ୩ ତାରିଖ ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟରେ ସମ୍ବଲପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୬୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ଏହି ଅଞ୍ଚଳର ରେଳ ଯାତ୍ରୀଙ୍କ ପାଇଁ ଯୋଗାଯୋଗରେ ଉନ୍ନତି ଆଣିବ। ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ। ଏହାବ୍ୟତୀତ ସେ ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପ (ଜେଏଚବିଡିପିଏଲ୍)ର ‘ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନ୍’ (୪୧୨ କିଲୋମିଟର)’କୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଅଧୀନରେ ୨୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍ ଗ୍ରିଡ୍ ସହ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପଲାଇନର ‘ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ’ (୬୯୨ କିଲୋମିଟର)’ର ଶିଳାନ୍ୟାସ କରିବେ । ୨୬୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟରେ ପ୍ରାକୃତିକ ବାଷ୍ପ ଉପଲବ୍ଧତାରେ ଉନ୍ନତି ଆଣିବ।

Leave a Reply

Your email address will not be published. Required fields are marked *