ରାଜ୍ୟ

୫ ଫେବ୍ରୁଆରିରେ ଲୋକସଭାରେ ଉପସ୍ଥିତ ରୁହ, ନିଜ ସାଂସଦଙ୍କୁ ବିଜେପିର ହ୍ବିପ୍

ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ ଫେବ୍ରୁଆରି ୫ରେ ଲୋକସଭାରେ ଉପସ୍ଥିତ ରହିବାକୁ ବିଜେପି ପକ୍ଷରୁ ନିଜ ସାଂସଦମାନଙ୍କୁ ହ୍ବିପ୍ ଜାରି କରାଯାଇଛି । ବିଜେପି ପକ୍ଷରୁ ଏକ ୩ ଧାଡ଼ି ବିଶିଷ୍ଟ ହ୍ବିପ୍ ଜାରି କରାଯାଇଛି । ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୩୧ ଜାନୁଆରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବେ । ତେବେ ଧନ୍ୟବାଦ ପ୍ରସ୍ତାବ ହୋଇଥିଲେ ବି ମୋଦୀ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ନିଜର ବକ୍ତବ୍ୟ ରଖିବାର ସମ୍ଭାବନା ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ସଂସଦର ଶେଷ ଅଧିବେଶନ ହୋଇଥିବାରୁ ମୋଦୀଙ୍କ ଏହି ଅଭିଭାଷଣ ଉପରେ ଶାସକ ଓ ବିରେଧୀ ଦଳ ସମେତ ସମଗ୍ର ଦେଶର  ନଜର ରହିବ । ଏହା ମଧ୍ୟ ଆଗାମୀ ନିର୍ବାଚନ ପାଇଁ ବିଜେପିର ଆଭିମୁଖ୍ୟ ଦର୍ଶାଇବ ।

ମୋଦୀ ମଧ୍ୟ ଗତ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଗତ କରିଥିବା ଅନ୍ତରୀଣ ବଜେଟ ଉପରେ ନିଜର ମନ୍ତବ୍ୟ ରଖିବେ । ଗତ ଜାନୁଆରି ୩୧ରେ ଆରମ୍ଭ ହୋଇଥିବା ସଂସଦର ବଜେଟ ଅଧିବେଶନ ଫେବ୍ରୁଆରି ୯ ତାରିଖରେ ଶେଷ ହେବ । ଏହା ପରେ ୧୭ତମ ଲୋକସଭା ଭଙ୍ଗ ହୋଇ ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ତାରିଖ ଘୋଷଣା ହେବ ।

Leave a Reply

Your email address will not be published. Required fields are marked *