ରାଜ୍ୟ

୬ ଦଫା ଦାବିରେ ବିଧାନସଭା ଘେରିଲେ ସାମ୍ବାଦିକ

୬ ଦଫା ଦାବି ନେଇ ଆଜି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକମାନେ ବିଧାନସଭା ଘେରାଉ କରିଛନ୍ତି। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନ୍‌ସନ ପ୍ରଦାନ, ସ୍ବାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକଙ୍କ ପିତାମାତା ଓ ୨୫ ବର୍ଷରୁ ଊର୍ଦ୍ଧ ସନ୍ତାନମାନଙ୍କୁ ସାମିଲ କରାଯିବା, ମିଡିଆ ଏକାଡେମି ଗଠନ କରିବା, ଅଧିସ୍ବୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରବେଶାଧିକାର ଆଦି ଦାବି କରି ଏହି ଘେରାଉ କରାଯାଇଥିଲା ।ଆଜି ଲୋୟର୍ ପିଏମ୍‌ଜିଠାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଅଧ୍ୟକ୍ଷତା କରିଥିଲେ। ଖୁବ୍‌ଶୀଘ୍ର ଏହି ଦାବିଗୁଡ଼ିକ ପୂରଣ ନହେଲେ ୩୦ ଜିଲ୍ଲାର ସାମ୍ବାଦିକ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ । ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ପଟ୍ଟନାୟକ, ରବି ଦାସ, ସନତ ମିଶ୍ର, ଦୈନିକ ‘ ପର୍ଯ୍ୟବେକ୍ଷକ ‘ ଓ ‘ ଦ କଳିଙ୍ଗ କ୍ରନିକିଲ ‘ ମୁଖ୍ୟ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟ, ପୀତବାସ ମିଶ୍ର, ସୁଜ୍ଞାନ ଚୌଧୁରୀ, ଶ୍ରୀମୟ କର, ନିରଞ୍ଜନ ବିଶ୍ଵାଳ, ବିପିନ ସିଂ, କିଶୋର ଦ୍ବିବେଦୀ, ବଙ୍କିମ ଚନ୍ଦ୍ର ନାୟକ, ପପୁ ମହାନ୍ତି, ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରମୋଦ ପଟ୍ଟନାୟକ, ହାରାଧନ ବାନାର୍ଜୀ, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର, ପ୍ରଦୀପ ତ୍ରିପାଠୀ, ସତ୍ୟ ନାରାୟଣ ମିଶ୍ର, ରବି ନାରାୟଣ ଖିଲାର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିକ୍ଷୋଭସ୍ଥଳକୁ ଆସି ସାମ୍ବାଦିକମାନ‌ଙ୍କ ଦାବିକୁ ସମର୍ଥନ ଜଣାଇଥିଲେ। ସେହିଭଳି ବିଧାୟିକା କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ନାଉରୀ ନାୟକ, ସୁବାସ ପାଣିଗ୍ରାହୀ ଓ ସଜ୍ଜନ ଶର୍ମା ପ୍ରମୁଖ ବିକ୍ଷୋଭସ୍ଥଳରେ ପହଞ୍ଚି ଏସବୁ ଦାବି ପ୍ରତି ସମର୍ଥନ ଜଣାଇଥିଲେ। ପୂର୍ବତନ ସାଂସଦ ତଥାଗତ ଶତପ‌ଥୀ ମଧ୍ୟ ଏହି ପ୍ରସଙ୍ଗରେ ସାମ୍ବାଦିକ ସଂଘ ସହିତ ଶେଷ ପର୍ଯ୍ୟନ୍ତ ରହିବେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *