ପାକିସ୍ତାନ : ସରକାର ଗଠନ ନେଇ ଇମ୍ରାନଙ୍କ ଦଳ ପିଟିଆଇର ଦୃଢୋକ୍ତି, କୌଣସି ପ୍ରକାରର ମେଣ୍ଟକୁ ଅସ୍ବୀକାର
ଇସଲାମାବାଦ: ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଦଳ ଶୁକ୍ରବାର ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ସହ କୌଣସିପ୍ରକାରର ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛି। ପିଟିଆଇ କହିଛି ଯେ ଏହା ନିଜେ ଏକ ସଂଘୀୟ ସରକାର ଗଠନ କରିବା ସ୍ଥିତିରେ ଅଛି। ନିର୍ବାଚନ ଫଳାଫଳ ଘୋଷଣାରେ ଅହେତୁକ ବିଳମ୍ବ ହେତୁ ଇମ୍ରାନଙ୍କ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଦ୍ୱାରା ଘୋଷିତ ୧୩୯ଟି ନ୍ୟାସନାଲ୍ ଆସେମ୍ବଲି ଆସନମଧ୍ୟରୁ ୫୫ଟିରେ ବିଜୟୀ ହୋଇଛନ୍ତି। ନୱାଜ ସରିଫଙ୍କ ପିଏମଏଲ-ଏନ ୪୩ ଟି ଆସନ ପାଇଥିବା ବେଳେ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ପିପିପି ୩୫ ଟି ଆସନ ହାସଲ କରିଛି । ମାତ୍ର ଏଥର ମଧ୍ୟ ନିର୍ବାଚନ ଓ ଭୋଟ ଗଣତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।ପିଟିଆଇ ଅଧ୍ୟକ୍ଷ ବ୍ୟାରିଷ୍ଟର ଗୋହର ଖାଁ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ପିପିପି କିମ୍ବା ପିଏମଏଲ-ଏନ ସହିତ ଯୋଗାଯୋଗରେ ନାହୁଁ ଏବଂ ଦାବି କରିଛନ୍ତି ଯେ ତାଙ୍କ ଦଳ ୧୫୦ ଟି ନ୍ୟାସନାଲ ଆସେମ୍ବଲି ଆସନ ରେ ବିଜୟୀ ହେଉଛି ଏବଂ କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ହାସଲ କରିବାରେ ସକ୍ଷମ ହେବ । ପିପିପି ଏବଂ ପିଏମଏଲ-ଏନ ସହ ମେଣ୍ଟ ସରକାର ଗଠନ କରିବାକୁ ଆମେ ଚାହୁଁନାହୁଁ । ଦଳ କେନ୍ଦ୍ର ଓ ପଞ୍ଜାବରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି ।