ରାଜ୍ୟ

କେନ୍ଦ୍ର ସରକାରଙ୍କ ଗରୀବ ବୀରୋଧି ନିତିକୁ ବିରୋଧ
ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ କାଟିବା ନେଇ ବିଜେଡିର ପ୍ରତିବାଦ
ସମସ୍ୟାର ସମାଧାନ ନହେଲେ ସାରା ରାଜ୍ୟରେ ଦୃଢ ଆନ୍ଦୋଳନ ହେବ

ବାରିପଦା :

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ୫ କେ.ଜି. ଚାଉଳ କାଟିବା ଏବଂ ରାଜ୍ୟରେ ଚାଷୀମାନଙ୍କ ଚାଉଳ ସଂଗ୍ରହରେ କଟକଣା ଜାରି କରିବା ବିରୋଧରେ ଆଜି ଏକ ପ୍ରତିବାଦ ସଭା ବିଜେଡି ବାରିପଦା ନଗର କମିଟି ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଅଛି । ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ବିଧାୟକ ସୁଦାମ ମାରାଣ୍ଡି, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତିର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଉପ-ନଗରପାଳ ସୀମା ଦାସ, ଜିଲ୍ଲା ଯୋଜନା ବୋର୍ଡର ଏକ୍ସପର୍ଟ ସଭ୍ୟ ଜିତେନ୍ଦ୍ର ମହାନ୍ତି, ବାରିପଦା ନଗର କମିଟିର ସଂଯୋଜକ ନିରୋଜ ସାହୁ, ରାଜ୍ୟ ବିଜୁ ଜନତା ଦଳ ଉପ-ସଭାନେତ୍ରୀ ଛବି ମାହାଲି, ରାଜ୍ୟ ମହିଳା ସମ୍ପାଦିକା ଶ୍ରାବଣୀ ଦାସ, କାଉନସିଲର ବିବେକାନନ୍ଦ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ ପ୍ରମୁଖ ବକ୍ତବ୍ୟ ଦେଇ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ବିଷଦଗାର କରିଥିଲେ । ବର୍ତମାନ ପରିସ୍ଥିତିରେ ଗ୍ୟାସ, ପେଟ୍ରୋଲ, ଡିଜେଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆଶାତୀତ ଭାବେ ଦରବୃଦ୍ଧି ପାଇଥିବା ବେଳେ ଗରୀବ ଜନସାଧାରଣଙ୍କ ମୁଣ୍ଡ ପିଛା ୫ କେ.ଜି. ଚାଉଳ କାଟିଦେବା, ଚଳିତ ବର୍ଷ ମୋଦୀ ସରକାର ଓଡ଼ିଶାର ଧାନ ସଂଗ୍ରହ ବ୍ୟବସ୍ଥା ୧୮ ଲକ୍ଷ ମେଟ୍ରିକ ଟନରୁ ୪ ଲକ୍ଷ ମେଟ୍ରିକ ଟନ ହ୍ରାସ କରିବା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୧୪ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ପୈଠ ନକରିବା ଭଳି ଘଟଣା ଗୁଡିକରେ କେନ୍ଦ୍ର ସରକାର ତାଙ୍କର ଗରୀବ ବିରୋଧୀ ଚରିତ୍ରକୁ ପଦାରେ ପକାଇଛନ୍ତି । କେନ୍ଦ୍ରର ଏଭଳି ବୈମାତୃକ ମନୋଭାବ ଯଦି ପରିବର୍ତନ ନହୁଏ ତେବେ ସାରା ରାଜ୍ୟରେ କେନ୍ଦ୍ର ସରକାର ବିରୁଦ୍ଧରେ ଦୃଢ ଆନ୍ଦୋଳନ କରାଯିବାର ଆହ୍ୱାନ ଦିଆଯାଇଥିଲା ।
ବରିଷ୍ଠ କାଉନସିଲର ଅନନ୍ତ ଦାସ ଓ ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ବିଜେଡିର ବହୁ ନେତା ଓ କର୍ମୀ ଯୋଗଦେଇ ପ୍ରତିବାଦ ଜଣାଇଥିଲେ । ସମାବେଶ ଶେଷରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *