ରାଜ୍ୟ

ବୁଧବାର ପୁଣି ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ଆରମ୍ଭ କରିବେ କୃଷକ

ନୂଆଦିଲ୍ଲୀ: ଦିଲ୍ଲୀ ଆଡକୁ ଯାଉଥିବା କୃଷକମାନଙ୍କୁ ପ୍ରବଳ ପ୍ରତିରୋଧ କରିଛି ପୁଲିସ । ଏହା ଫଳରେ ଆଜି କୃଷକମାନେ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିଥିବାବେଳେ ଆସନ୍ତା କାଲି ପୁଣି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କୃଷକ ସଂଗଠନମାନେ ଘୋଷଣା କରିଛନ୍ତି ।ପଞ୍ଜାବର ଫତେଗଡ଼ ସାହିବରୁ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ଯାଉଥିବା କୃଷକଙ୍କ ଉପରକୁ ଶମ୍ଭୁ ସୀମାରେ ପୁଲିସ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲା। ଗାଜିପୁର ସୀମାରେ ଏକ ଡଜନରୁ ଅଧିକ କୃଷକ ନେତାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରବଳ ଜାମ୍ ଲାଗି ରହିଛି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ୟୁପି ଗେଟ୍ ନିକଟରେ ଏକ ପାଚେରି ନିର୍ମାଣ କରାଯାଇଛି। ଏହାକୁ ବାଡ଼ ଲଗାଯାଇଛି। ଦିଲ୍ଲୀକୁ ଯାଉଥିବା ଜାତୀୟ ରାଜପଥ-୯ ରାସ୍ତାକୁ ବର୍ତ୍ତମାନ ପାଇଁ ବନ୍ଦ କରି ଦିଆଯାଇଛି। କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର ଦିନ କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାକୁ ଜାତୀୟ ରାଜଧାନୀରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀ ସୀମାରେ ବହୁସ୍ତରୀୟ ବ୍ୟାରିକେଡ୍, କଂକ୍ରିଟ୍ ବ୍ୟାରିକେଡ୍, ଲୁହା ନଖ ଏବଂ କଣ୍ଟେନର କାନ୍ଥ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଫସଲପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ କରିବା ସମେତ ସେମାନଙ୍କ ଦାବିନେଇ ସେମାନେ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଦିଲ୍ଲୀ ପଦଯାତ୍ରା କରିଛନ୍ତି ବୋଲି କିଷାନ ମଜଦୁର ମୋର୍ଚ୍ଚା ଘୋଷଣା କରିଛି। ଚଣ୍ଡିଗଡ଼ରେ ଦାବି ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ୫ ଘଣ୍ଟା ଧରି ହୋଇଥିବା ବୈଠକରେ କୌଣସି ସୁଫଳ ନ ମିଳିବା ପରେ ଜଣେ କୃଷକ ନେତା କହିଛନ୍ତି, ଆମେ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବୁ।

କୃଷକଙ୍କ ପ୍ରଥମ ବିକ୍ଷୋଭ ସମୟରେ ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର କୃଷକମାନେ ଅଗଷ୍ଟ ୨୦୨୦ରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ତିନୋଟି ସୀମାରେ ଧାରଣା ଦେଇଥିଲେ। ଏଥର ବି ଚାଷୀମାନେ ଆନ୍ଦୋଳନ ପାଇଁ ଏହି ସବୁ ଅଞ୍ଚଳକୁ ବାଛିବେ ବୋଲି ପୁଲିସ ସନ୍ଦେହ କରୁଛି, ତେଣୁ ସୁରକ୍ଷା ବଢ଼ାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *