ରାଜ୍ୟ

ଜଳବାୟୁ ପରିବର୍ତ୍ତନକୁ ମୁକାବିଲା ପାଇଁ ଓଡିଶାରେ ପ୍ରଥମ ଆର୍ଟିଫିସିଆଲ୍ ରିଫ୍ ଏବଂ ସମୁଦ୍ର ଜଙ୍ଗଲର ସୃଷ୍ଟି

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ବଢିବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଘଟୁଛି| ଏହାର ପରିଣାମ ସ୍ୱରୂପ ତାପମାତ୍ରା ବୃଦ୍ଧି, ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସାମୁଦ୍ରିକ ଝଡ, ସମୁଦ୍ରର ଅମ୍ମ୍ଳୀକରଣ, ଜୈବ ବିବିଧତା ନଷ୍ଟ, ପ୍ରବାଳର ବ୍ଲିଚିଙ୍ଗ୍, ମତ୍ସ୍ୟ ଉତ୍ପାଦନରେ ହ୍ରାସ ଏବଂ ଇକୋସିଷ୍ଟମର ଦ୍ରୁତ ଅବନତି ଘଟୁଛି| ଏହି ସବୁର ମୁକାବିଲା ପାଇଁ ସାମୁଦ୍ରିକ ବୈଜ୍ଞାନିକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଦିନବନ୍ଧୁ ସାହୁ ଓଡିଶାର ସୁଦୂର ଉପକୂଳବର୍ତ୍ତୀ ଗ୍ରାମଗୁଡିକରେ ତୃଣମୂଳ ସ୍ତରରେ ସ୍ୱତନ୍ତ୍ର ପଦ୍ଧତି ପ୍ରସ୍ତୁତ କରିଛନ୍ତି। ପ୍ରଫେସର ସାହୁ, କିଟ୍ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପିକା ଡ ସଞ୍ଜୁକ୍ତା ସାହୁଙ୍କ ସହଭାଗିତାରେ ଲାବୋରାଟୋରୀରେ ଅନେକ ପ୍ରକାରର ଆର୍ଟିଫିସିଆଲ୍ ରିଫ୍ ଡିଜାଇନ୍ କରିଥିଲେ| ଅନେକ ମାସର ପରୀକ୍ଷଣ ପରେ ଏହି ଦୁଇ ବୈଜ୍ଞାନିକ ଶେଷରେ ଓଡିଶାର ଉପକୂଳରେ ଅନେକ ଆର୍ଟିଫିସିଆଲ୍ ରିଫ୍ ସବୁ ନିୟୋଜିତ କରିଥିଲେ ଯାହା ରାଜ୍ୟରେ ପ୍ରଥମ ଅଟେ| ଆର୍ଟିଫିସିଆଲ୍ ରିଫ୍ କେବଳ ମତ୍ସ୍ୟ ଉତ୍ପାଦନରେ ବୃଦ୍ଧି କରିବ ତାହା ନୁହେ, ବରଂ ଏହା ଅବକ୍ଷୟ ହୋଇଥିବା ସାମୁଦ୍ରିକ ଇକୋସିଷ୍ଟମର ପୁନରୁଦ୍ଧାରରେ ମଧ୍ୟ ସହାୟକ ହେବ ଏବଂ ଜୈବ ବିବିଧତା ବୃଦ୍ଧି କରିବ ବୋଲି ଓଡିଶାର ଏଫ୍ଏମ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଥିବା ପ୍ରଫେସର ଦିନବନ୍ଧୁ ସାହୁ କହିଛନ୍ତି। ଆର୍ଟିଫିସିଆଲ୍ ରିଫ୍ ର ନିର୍ମାଣ ଏବଂ ନିୟୋଜନ କୋଟିକୋଟି ଟଙ୍କାର ଶିଳ୍ପ ଅଟେ। ଆମେରିକା, ଫ୍ରାନ୍ସ, ଜାପାନ, ଚୀନ୍, କୋରିଆ, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶମାନେ ସେମାନଙ୍କ ସମୁଦ୍ର ଉପକୂଳରେ ଏହିପରି ଲକ୍ଷ ଲକ୍ଷ ରିଫ୍ ନିୟୋଜିତ କରିଛନ୍ତି ଯାହା ସେମାନଙ୍କ ଅର୍ଥନୀତିକୁ ବହୁ ପରିମାଣରେ ବୃଦ୍ଧି କରିପାରୁଛି| ସମଗ୍ର ବିଶ୍ୱରେ ପ୍ରାୟ ୭୦ ରୁ ଅଧିକ ଦେଶରେ ୩,୪୦୦ ଆର୍ଟିଫିସିଆଲ୍ ରିଫ୍ ଏବଂ ସମୁଦ୍ରକୂଳ ପୁନରୁଦ୍ଧାର ପ୍ରକଳ୍ପରେ ପ୍ରାୟ ୫୦୦,୦୦୦ ରିଫ୍ ବଲ୍ ନିୟୋଜିତ କରାଯାଇଛି। ଆମ ରାଜ୍ୟ ଓଡିଶାର ପ୍ରାୟ ୪୮୦ କିଲୋମିଟର ଉପକୂଳ ରେଖା ଅଛି ଏବଂ ଏହା ଆର୍ଟିଫିସିଆଲ୍ ରିଫ୍ ର ନିୟୋଜନ ପାଇଁ ଏକ ସମ୍ଭାବ୍ୟ ସ୍ଥାନ ଭାବରେ ଉପୋଯୋଗ କରାଯାଇପାରିବ| ସଠିକ୍ ଭାବରେ ଡିଜାଇନ୍ ହୋଇଥିବା ଆର୍ଟିଫିସିଆଲ୍ ରିଫ୍ ଅନେକ ସାମୁଦ୍ରିକ ପ୍ରଜାତିଙ୍କୁ ବାସସ୍ଥାନ ଯୋଗାଇବା ସହିତ ସାମୁଦ୍ରିକ ଢେଉର ପ୍ରକୋପକୁ ହ୍ରାସ କରିବ ଏବଂ ଓଡିଶା ଉପକୂଳକୁ ସାମୁଦ୍ରିକ ଝଡରୁ ରକ୍ଷା କରିବ ବୋଲି ଡ ସଞ୍ଜୁକ୍ତା ସାହୁ କହିଛନ୍ତି। ଉନ୍ନତ ମତ୍ସ୍ୟ ଉତ୍ପାଦନ ସହିତ ଭବିଷ୍ୟତରେ ସାମୁଦ୍ରିକ ଇକୋଟୋରିଜିମ୍ ର ଯୋଜନା ଦ୍ଵାରା ଉପକୂଳବର୍ତ୍ତୀ ସମ୍ପ୍ରଦାୟ ପାଇଁ ଅଧିକ ନିଯୁକ୍ତି ଏବଂ ଉନ୍ନତ ଜୀବିକା ସୃଷ୍ଟି କରାଯାଇପାରିବ| ଏଥିସହିତ, ଉଦ୍ଭିଦ ଅପେକ୍ଷା ସାମୁଦ୍ରିକ ତୃଣ ହାରାହାରି ୪-୫ ଗୁଣ ଅଧିକ ଅଙ୍ଗାରକାମ୍ଳ ଅବଶୋଷଣ କରିପାରିବ ବୋଲି ପ୍ରଫେସର ସାହୁ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଜଳରେ ସାମୁଦ୍ରିକ ଦଳ ଚାଷ ମାଧ୍ୟମରେ ସମୁଦ୍ର ଜଙ୍ଗଲ ସୃଷ୍ଟି କରୁଛନ୍ତି| ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରିବା ପାଇଁ ଏବଂ ଅଙ୍ଗାରକାମ୍ଳର ଶୋଷଣ ପାଇଁ ସେ ଉପକୂଳବର୍ତୀ ଜଳରେ ୨୪ ଫୁଟ ବ୍ୟାସ ବିଶିଷ୍ଟ ଏକ “ଭାରତୀୟ ସାମୁଦ୍ରିକ ଦଳ ଚକ୍ର” ପ୍ରସ୍ତୁତ କରିଛନ୍ତି ଯାହା ୨୪ଟି ଅକ୍ଷ ସହିତ ଅଶୋକ ଚକ୍ର ସଦୃଶ ନିର୍ମାଣ କରାଯାଇଛି| ଉଭୟ ଆର୍ଟିଫିସିଆଲ୍ ରିଫସ୍ ଏବଂ କିଛି ନିର୍ଦ୍ଧିଷ୍ଟ ଜାତିର ସାମୁଦ୍ରିକ ଦଳ ଚାଷ ବହୁତ ଶୀଘ୍ର ଏକ ପରିବର୍ତ୍ତନକାରୀ କ୍ରାନ୍ତି ସୃଷ୍ଟି କରିବ| ଉଭୟ ବୈଜ୍ଞାନିକ ବର୍ତ୍ତମାନ ଅଧିକ ପ୍ରକାରର ରଙ୍ଗୀନ କୁତ୍ରିମ ପ୍ରବାଳ ପ୍ରସ୍ତୁତ କରୁଛନ୍ତି ଯାହା ପ୍ରାକୃତିକ ପ୍ରବାଳର ପରିବେଶ ସୃଷ୍ଟି କରି ସାମୁଦ୍ରିକ ପର୍ଯ୍ୟଟନକୁ ଉନ୍ନତ କରିପାରିବ | ସେମାନଙ୍କର ଏହି ଉଦ୍ୟମ ଭାରତର ମତ୍ସ୍ୟ ଏବଂ ଜଳଜୀବ ଚାଷର ଉନ୍ନତିକାରଣ ଲକ୍ଷ୍ୟ ଦିଗରେ କରାଯାଇଥିବା ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସାମ୍ପଦ ଯୋଜନା (PMSY) ସହିତ ବହୁତ ସାମଞ୍ଜସ୍ୟ ରଖୁଛି | ଏଥିସହିତ ୨୦୨୪ ର ବଜେଟ୍ ରେ ମଧ୍ୟ ମତ୍ସ୍ୟ ଏବଂ ଜଳଜୀବ ଚାଷକୁ ପ୍ରାଧ୍ୟାନତା ଦିଆଯାଇଛି ଯାହା ୫୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାସହିତ ବ୍ଲୁ ଇକୋନୋମିରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି | ଏହି ପରିପ୍ରେଖିରେ, ଦୁଇ ବୈଜ୍ଞାନିକଙ୍କର ଉଦ୍ୟମ ଦେଶର ବ୍ଲୁ ଇକୋନୋମି ଦିଗରେ ବହୁତ ସହାୟକ ହୋଇପାରିବ ବୋଲି ସେ ବିଶ୍ଵାସ ରଖିଛନ୍ତି| ଏଥିରେ ସରକାରୀ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *