ମହାରାଷ୍ଟ୍ରରୁ ମିଳିଲା ୧୧୦୦ କୋଟିର ଡ୍ରଗ୍ସ,, କୋରିୟର କର୍ମଚାରୀଙ୍କ ସଂପୃକ୍ତି ସଂଦେହ
ପୁଣେ : ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ପ୍ରାୟ ୧୧୦୦ କୋଟି ଟଙ୍କାର ନିଶାଦ୍ରବ୍ୟ (ଡ୍ରଗ୍ସ) ଜବତ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।
ପୁଲିସ ସୁତ୍ରରୁ ପ୍ରକାଶ ଯେ ପ୍ରାୟ ୧୧୦୦ କୋଟି ଟଙ୍କା ମୂଲ୍ୟର ୬୦୦ କେଜିରୁ ଅଧିକ ମେଫେଡ୍ରୋନ୍ ଜବତ କରାଯାଇଛି ଏବଂ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ପୁଣେ ଜିଲ୍ଲାରେ ସବୁଠାରୁ ବଡ଼ ନିଶା ଦ୍ରବ୍ୟ ଜବତ ମାମଲାରେ ଗିରଫ ହୋଇଥିବା ତିନି ଜଣଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟେନ୍ସ ଆକ୍ଟର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ମଙ୍ଗଳବାର ସିଟି ପୋଲିସ କମିଶନର ଅମିତେଶ କୁମାର ଏହି ସୂଚନା ଦେଇଛନ୍ତି ।
ରବିବାର ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୩ କୋଟି ୮୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୧.୭୫ କେଜି ମେଫେଡ୍ରୋନ୍ (ଏମ୍ଡି) ଜବତ କରାଯାଇଛି। ଏହି ତିନି ଜଣଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଆଧାରରେ କୁରକୁମ୍ଭ ଏମଆଇଡିସି ଅଞ୍ଚଳରେ ଆଉ ଏକ ଅପରେସନ କରାଯାଇ ସେଠାରେ ଥିବା ଏକ ୟୁନିଟ୍ରୁ ପାଖାପାଖି ୫୫୦ କେଜି ଏମଡି ଜବତ କରାଯାଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୬୦୦ କିଲୋଗ୍ରାମରୁ ଅଧିକ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକ କୋରିୟର ସଂସ୍ଥାରେ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି । ଏ ନେଇ ପୁଲିସ, ନାର୍କୋଟିକ୍ସ ବ୍ୟୁରୋ ଓ ଅନ୍ୟ ଏଜେନ୍ସିମାନେ ମିଳିତଭାବେ କାମ କରୁଛନ୍ତି ।