୧୪ଟି ବିଦେଶୀ ସହରରେ ହେବ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି
ନୂଆଦିଲ୍ଲୀ: ଆସନ୍ତା ମେ’ ୫ ତାରିଖରେ ୧୪ଟି ବିଦେଶୀ ସହରର ପରୀକ୍ଷା କେନ୍ଦ୍ରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ଅନୁଷ୍ଠିତ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବୁଧବାର ସନ୍ଧ୍ୟାରେ ଘୋଷଣା କରିଛି।ଚଳିତ ମାସ ପ୍ରାରମ୍ଭରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ବୁଲେଟିନରେ ପରୀକ୍ଷା ଦେବା ପାଇଁ ଭାରତ ବାହାରେ ଥିବା କେନ୍ଦ୍ର ବିଷୟରେ ଉଲ୍ଲେଖ ନଥିବାରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପରୀକ୍ଷାର୍ଥୀଙ୍କ ଠାରୁ ଅନୁରୋଧ ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି।
ଏନଟିଏର ବରିଷ୍ଠ ନିର୍ଦେଶିକା (ପରୀକ୍ଷା) ସାଧନା ପରାଶର କହିଛନ୍ତି ଯେ ୧୨ଟି ଦେଶର ୧୪ଟି ବିଦେଶୀ ସହରରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ଦୁବାଇ, ଆବୁଧାବି ଏବଂ ସାରଜା (ୟୁଏଇ)ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। କୁଏତର କୁଏତ ସହର, ଥାଇଲାଣ୍ଡର ବ୍ୟାଙ୍କକ୍, ଶ୍ରୀଲଙ୍କାର କଲମ୍ବୋ, କତାରର ଦୋହା, ନେପାଳର କାଠମାଣ୍ଡୁ, ମାଲେସିଆର କୁଆଲାଲମ୍ପୁର, ନାଇଜେରିଆର ଲାଗୋସ୍, ବାହାରେନର ମନାମା, ଓମାନରେ ମସ୍କଟ, ସାଉଦି ଆରବରେ ରିୟାଦ ଏବଂ ସିଙ୍ଗାପୁରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ଅନୁଷ୍ଠିତ ହେବ।
ଏତଦ୍ବ୍ୟତୀତ ସମଗ୍ର ଭାରତରେ ୫୫୪ଟି କେନ୍ଦ୍ରରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବୁଧବାର ସନ୍ଧ୍ୟାରେ ଜାରି ବିଜ୍ଞପ୍ତିରେ ଘୋଷଣା କରିଛି।